Categories: ବାଣିଜ୍ୟ

ସମାଧାନ ହେବ ଆୟକର ସାଇଟ୍‌ ସମସ୍ୟା

ନୂଆଦିଲ୍ଲୀ,୨୩।୮: ଚଳିତ ବର୍ଷ ଜୁନ୍‌ରୁ ବ୍ୟବହୃତ ହୋଇ ଆସୁଥିବା ଆୟକର ବିଭାଗର ନୂତନ ଆୟକର ‘ଇ-ଫାଇଲିଂ ପୋର୍ଟାଲ’ରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଦେବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ଫୋସିସ୍‌ ସିଇଓ ସଲିଳ ପାରେଖଙ୍କୁ ସୋମବାର ଆସିବାକୁ କୁହାଯାଇଛି। ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆୟକର ବିଭାଗର ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଚିନ୍ତାପ୍ରକଟ କରିଥିଲେ। ବିଭାଗର ଏହି ପୋର୍ଟାଲକୁ ଅଧିକ ବିଶ୍ୱସନୀୟ ଏବଂ ସରଳ କରିବା ଲାଗି ଆବଶ୍ୟକ କାର୍ଯ୍ୟ ଓ ଜ୍ଞାନକୌଶଳକୁ ଠିକ୍‌ କରିବା ଲାଗି ପାରେଖ ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରବୀଣ ରାଓଙ୍କୁ କୁହାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଥିଲା।
ଶନିବାର ଭାରତର ଆୟକର ବିଭାଗର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ଶୁଭାରମ୍ଭ ହେବାର ଅଢେଇ ମାସ ପରେ ମଧ୍ୟ କାହିଁକି ନୂତନ ଇ-ଫାଇଲିଂ ପୋର୍ଟାଲରେ ଦେଖାଦେଉଥିବା ସମସ୍ୟାର ସମାଧାନ ହୋଇ ପାରିନାହିଁ। ଏ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପାଇଁ ଅର୍ଥ ମନ୍ତ୍ରଣାଳୟ ଅଗଷ୍ଟ ୨୩ ତାରିଖରେ ପାରେଖଙ୍କୁ ଅବଗତ କରାଇଛନ୍ତି। ବିଭାଗର ନୂତନ ସେବା ଆରମ୍ଭରୁ ହିଁ ଏହି ପୋର୍ଟାଲରେ ଅନେକ ବୈଷୟିକ ସମସ୍ୟା ରହିଥିବା ଜଣାପଡିଥିଲା। ଏହି ନୂତନ ପୋର୍ଟାଲର ଡିଜାଇନ୍‌ ଇନ୍‌ଫୋସିସ୍‌ କରିଥିଲା। ବିଭାଗର ସମସ୍ୟା ସମ୍ପର୍କରେ ସବୁବେଳେ ‘ସାଇଟ୍‌’ର ସ୍କ୍ରିନ୍‌ସଟ୍‌ ସହ ଅର୍ଥମନ୍ତ୍ରୀଙ୍କୁ ‘ଟ୍ୟାଗ୍‌’ କରି ବ୍ୟବହାରକାରୀମାନେ ପୋର୍ଟଲାର ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇଥିଲେ। ଏହି ପୋର୍ଟାଲ ବିକଶିତ କରିବା ପାଇଁ ୨୦୧୯ ଜାନୁୟାରୀରୁ ୨୦୨୧ ଜୁନ୍‌ ମଧ୍ୟରେ ସରକାର ଇନ୍‌ଫୋସିସ୍‌କୁ ୧୬୪.୫ କୋଟି ଟଙ୍କା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି , ଆୟକରଦାତାମାନଙ୍କ ଉପରେ ଏହା କୁପ୍ରଭାବ ପକାଉଥିବାରୁ ଆଉ ଅଧିକ ସମୟ ନଷ୍ଟ ନ କରି ସବୁ ସମସ୍ୟାର ସମାଧାନ କରିବା ସହ ସେବା ଯୋଗାଣରେ ଉନ୍ନତି, ପ୍ରାଥମିକତା ଭିତ୍ତିରେ ଆପତ୍ତିର ସମାଧାନ ଆଦି ବ୍ୟବସ୍ଥା କରିବା ଲାଗି ଏହାର ଡିଜାଇନ କମ୍ପାନୀକୁ କୁହାଯାଇଛି। ଏ ସମ୍ପର୍କରେ ଇନ୍‌ଫୋସିସ୍‌ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନନ୍ଦନ ନିଲେକାନି ପ୍ରତି ସପ୍ତାହରେ ଅର୍ଥମନ୍ତ୍ରୀ ସୀତାରାମନଙ୍କୁ ରିପୋର୍ଟ ଦେଉଛନ୍ତି। ବିଭାଗର ପୋର୍ଟାଲକୁ ନେଇ ରହିଥିବା ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହି ସେ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Share