ସିଡ୍ନୀ, ୧୮ା୧ (ପି.ଟି.)- ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟ ପାଇଁ ଖେଳାଳି ଚୟନ ମଙ୍ଗଳବାର ସନ୍ଧ୍ୟାରେ ହେବ। ପିତୃତ୍ୱ ଛୁଟି ଶେଷ ହୋଇଥିବାରୁ ଅଧିନାୟକ ବିରାଟ କୋହଲି ଦଳକୁ ଫେରିବେ। ସିନିୟର ପେସ୍ ବୋଲର ଈଶାନ୍ତ ଶର୍ମା ଇଞ୍ଜୁରୀ ସମସ୍ୟାରୁ ମୁକ୍ତି ପାଇଛନ୍ତି। ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ଯଥାକ୍ରମେ ତଳିପେଟ ଓ ପିଠିରେ ଯନ୍ତ୍ରଣା ପାଇଁ ବ୍ରିସ୍ବେନ ଟେଷ୍ଟ ଖେଳି ପାରି ନ ଥିଲେ। ଫେବୃୟାରୀ ୫ରୁ ଚେନ୍ନାଇଠାରେ ଆରମ୍ଭ ହେବାକୁଥିବା ୪ ମ୍ୟାଚ ବିଶିଷ୍ଟ ସିରିଜ ଚୟନ ପାଇଁ ଉପଲବ୍ଧ ହେବେ ବୋଲି ଆଶା କରାଯାଏ। ତେବେ ଆଘାତପ୍ରାପ୍ତ ହୋଇଥିବା ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀ ସିଲେକ୍ସନ ପାଇଁ ଉପଲବ୍ଧ ହେବେ ନାହିଁ। ଚେତନ ଶର୍ମାଙ୍କ ନେତୃତ୍ୱରେ ଗଠିତ ନୂଆ ସିଲେକ୍ସନ କମିଟି ଭାରତୀୟ ଦଳରେ ବିଶେଷ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ କରିବେ ନାହିଁ ବୋଲି ଆଶା କରାଯାଉଛି। କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଥିବା ଅଧିକାଂଶ ଫିଟ୍ ଓ ଉପଲବ୍ଧ ଖେଳାଳି ଦଳରେ ସ୍ଥାନ ପାଇବା ସ୍ବାଭାବିକ।