Categories: ଖେଳ

ଚେନ୍ନାଇରେ ପହଞ୍ଚିଲା ଭାରତୀୟ ଦଳ

ଚେନ୍ନାଇ,୨।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳ ମଙ୍ଗଳବାର ଚେନ୍ନାଇରେ ପହଞ୍ଚତ୍ଛି। ବିମାନବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଭାରତୀୟ ଦଳକୁ ସ୍ବାଗତ କରିଥିଲେ। ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଆସନ୍ତା ୩ ତାରିଖରେ ଏହାର ପ୍ରଥମ ମ୍ୟାଚରେ ଚାଇନାକୁ ଭେଟିବ। ଟୁର୍ନାମେଣ୍ଟ ଇତିହାସ ଦେଖିଲେ ଭାରତ ଓ ପାକିସ୍ତାନ ସବୁଠାରୁ ସଫଳ ଦଳ। ଉଭୟ ଦଳ ୩ ଥର ଲେଖାଏ ଟାଇଟଲ ଜିତିଛନ୍ତି। ତେଣୁ ଏଥର ରେକର୍ଡ ୪ର୍ଥ ଥରପାଇଁ ଟ୍ରଫି ଜିତି ଦେଶକୁ ଗର୍ବିତ କରିବା ଆଶାରେ ରହିଛି ଘରୋଇ ଦଳ। ଟୁର୍ନାମେଣ୍ଟରେ ଭାରତୀୟ ଦଳ ଜାପାନ, କୋରିଆ, ପାକିସ୍ତାନ, ଚାଇନା ଓ ମାଲେସିଆ ସହିତ ମୁକାବିଲା କରିବ। ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଟୁର୍ନାମେଣ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ ଅଂଶଗ୍ରହଣକାରୀ ୬ ଦଳ ରାଉଣ୍ଡ ରବିନ ଫର୍ମାଟରେ ପରସ୍ପର ସହିତ ୫ଟି ଲେଖାଏ ମ୍ୟାଚ ଖେଳିବେ। ଏହାପରେ ଶ୍ରେଷ୍ଠ ୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ।
ଭାରତୀୟ ଦଳର ଭଲ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍‌ କ୍ରେଗ୍‌ ଫଲଟନ ଆଶାବାଦୀ ଅଛନ୍ତି। ”ସ୍ପେନରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଆମର ପ୍ରଦର୍ଶନ ଖୁବ୍‌ ଭଲ ରହିଥିଲା। ଗତ ୧୦ ଦିନ ମଧ୍ୟରେ ଆମେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟି ପ୍ରଭାବୀ ଖେଳ ଦେଖାଇଥିଲୁ। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଆମେ ରଣନୀତିରେ କେତେକ ପରିବର୍ତ୍ତନ କରି ଖେଳିବୁ“ ବୋଲି ଫଲଟନ କହିଛନ୍ତି।

Share