Categories: ଖେଳ

ଟି୨୦ ସିରିଜ ହାରିଲା ଭାରତୀୟ ମହିଳା ଦଳ

ଚେଲମ୍ସଫର୍ଡ,୧୬।୭: ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଓପନର ଡ୍ୟାନି ହ୍ବେଟ୍‌ଙ୍କ ଅପରାଜିତ ୮୯ ରନ (୫୬ ବଲ, ୧୨ ଚୌକା, ୧ ଛକା)ର ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଇଂଲଣ୍ଡ ୮ ବଲ ବାକି ରଖି ଅତି ସହଜରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ୨-୧ରେ ସିରିଜ ବିଜୟ ହାସଲ କରିଛି। ସାରା ସିରିଜରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନାତାଲି ସ୍କିଭର ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ସେହିପରି ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ହ୍ବେଟ୍‌ଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା।
ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିତ୍ବା ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଇଂଲଣ୍ଡ ତରଫରୁ ଅନ୍ୟତମ ଓପନର ଟମି ବିମଣ୍ଟ ୧୧, ସ୍କିଭର ୪୨ ଯଥାକ୍ରମେ ଦୀପ୍ତି ଶର୍ମା ଓ ସ୍ନେହ ରାଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଧିନାୟିକା ହିଥର ନାଇଟ୍‌ ୬ ରନକରି ଅପରାଜିତ ରହିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଓପନର ସ୍ମୃତି ମାନ୍ଧନା ସର୍ବାଧିକ ୭୦ (୫୧ ବଲ, ୮ ଚୌକା, ୨ ଛକା), ଅଧିନାୟିକା ହରମନପ୍ରୀତ କୌର ୩୬, ଉଇକେଟକିପର ବ୍ୟାଟ୍ସଓମ୍ୟାନ ରିଚା ଘୋଷ ୨୦ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଇଂଲଣ୍ଡ ତରଫରୁ ସୋଫି ଏକ୍ଲେଷ୍ଟୋନ ୩, କାଥେରାଇନ ବ୍ରଣ୍ଟ ୨ ଓ ସ୍କିଭର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଏହାପୂର୍ବରୁ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ମଧ୍ୟ ୧-୨ରେ ପରାସ୍ତ ହୋଇଥିଲା। ତେବେ ଏକମାତ୍ର ଟେଷ୍ଟରେ ଖରାପ ଆରମ୍ଭ କରିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଭାରତ ଡ୍ର ରଖି ମନସ୍ତାତ୍ତ୍ୱିକ ବିଜୟ ହାସଲ କରିଥିଲା। ଏବେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଏକମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୫୩/୬
(ମାନ୍ଧନା- ୭୦, ହରମନପ୍ରୀତ- ୩୬, ରିଚା- ୨୦, ଏକ୍ଲେଷ୍ଟୋନ- ୩/୩୫, ବ୍ରଣ୍ଟ- ୨/୨୭, ସ୍କିଭର- ୧/୧୬)।
ଇଂଲଣ୍ଡ ୧୮.୪ ଓଭରରେ ୧୫୪/୨
(ହ୍ବେଟ- ୮୯*, ସ୍କିଭର- ୪୨, ଦୀପ୍ତି- ୧/୨୯, ରାଣା- ୧/୨୭)।

Share