ପରଜଙ୍ଗ,୮।୧୦(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ବାମ ଗ୍ରାମରେ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଛି। ପୋଲିସ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ବାମ ଗ୍ରାମର ମଙ୍ଗୁଳୁ ମହାରଣାଙ୍କୁ ଗିରଫ କରିଛି। ତେବେ ବିଶେଷ ସୂତ୍ରରୁ ଖବରପାଇ ଗୁରୁବାର ରାତିରେ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ପୋଲିସ ମିଳିତ ଭାବେ ମଙ୍ଗୁଲୁଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିବା ସହିତ ସେଠାରୁ ସମ୍ପୂର୍ଣ୍ଣ ତିଆରି ହୋଇଥିବା ବନ୍ଧୁକ, କିଛି ଅଧା ତିଆରି ବନ୍ଧୁକ, ଲୁହା, କାଠ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ପୋଲିସ ଜବତ କରିଛି। କାରଖାନା ଚଳାଉ ଥିବା ମଙ୍ଗୁଳୁଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ସେଠାରେ ସେ ବନ୍ଧୁକ ତିଆରି କରି ବାହାରେ ବିକ୍ରି କରୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ବନ୍ଧୁକଗୁଡ଼ିକୁ ସେ କେଉଁ ସ୍ଥାନରେ ଓ କାହାକୁ ବିକ୍ରି କରୁଥିଲେ ସେ ବିଷୟରେ ପୋଲିସ ପକ୍ଷରୁ କୋଣସି ସୂଚନା ଦିଆ ଯାଇନାହିଁ। ଫାଣ୍ଡି ଠାରୁ କିଛି ଦୂରରେ ଏପରି ବନ୍ଧୁକ କାରବାର ହେଉଥିଲା କିନ୍ତୁ ଫାଣ୍ଡି ପୋଲିସ ପାଖରେ କୌଣସି ସୂଚନା କିପରି ପୂର୍ବରୁ ନ ଥିଲା ତାହା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତଦନ୍ତରେ ବାଧାହେବ ବୋଲି ବିଶେଷ ସୂଚନା ଦେବାକୁ ଥାନାଧିକାରୀ ମନା କରିଛନ୍ତି । ଆଗାମୀ ଦିନରେ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ କିଏ କିଏ ସମ୍ପୃକ୍ତି ଅଛନ୍ତି ତାହା ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।