ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ହୋଇଥିବା ବେଳେ ଏହା ଯୋଗୁ ବହୁ ଚାଷ ଜମି ଜଳମଗ୍ନ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ବର୍ତ୍ତମାନ ରବିଧାନ ଚାଷ ପାଇଁ ଚାଷୀମାନେ ତଳି ପକାଇବା ସହ କିଛି ଜମିରେ ରୁଆ କାମ ଆରମ୍ଭ କରିଥିଲେ।
ଗତ ସପ୍ତାହରେ ରବି ଋତୁ ଜଳ ଯୋଗାଣ ପାଇଁ ଇନ୍ଦ୍ରାବତୀ କେନାଲରେ ପାଣି ଛଡ଼ା ଯାଇଥିଲା। ତେବେ
ନିମ୍ନମାନର କାମ ଯୋଗୁ ସେତେବେଳେ ମଧ୍ୟ କେନାଲ ଭାଙ୍ଗି ଯାଇଥିବା ଅଭିଯୋଗ ଆଣିଥିଲେ ଚାଷୀ। ପରେ ବାଲି ବସ୍ତା ଦେଇ ପାଣିକୁ ବନ୍ଦ କରାଯାଇଥିଲା। ଏବେ ପୁଣି ଥରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।