୧୩ ବର୍ଷ ହେବ ଶିଳ୍ପ ଗଣନା ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଗତ ୧୩ ବର୍ଷ ହେବ ଶିଳ୍ପ ଗଣନା ହୋଇନାହିଁ। ୨୦୦୬-୦୭ରେ ହୋଇଥିବା ଚତୁର୍ଥ ସର୍ବଭାରତୀୟ ଶିଳ୍ପ ଗଣନା ଅନୁଯାୟୀ, ରାଜ୍ୟରେ ୧୫ ହଜାର ୩୧୫ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭିନ୍ନ କାରଣରୁ ବନ୍ଦ ହୋଇଛି। ଏଥିଯୋଗୁ ୧ ଲକ୍ଷ ୨୯ ହଜାର ୯୫୦ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। ବିଧାୟକ ନବ ଚରଣ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶୁକ୍ରବାର ବିଧାନସଭାରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ତେବେ ଶିଳ୍ପଗୁଡ଼ିକ କେଉଁ କାରଣରୁ ବନ୍ଦ ହୋଇଛି ସେ ବିଷୟ ଜଣାନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୨୦୨୧ ଜାନୁୟାରୀ ସୁଦ୍ଧା ରାଜ୍ୟରେ ୫,୦୬,୦୧୨ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ସ୍ଥାପିତ ହୋଇଛି। ୨୦୦୬-୦୭ ପରଠାରୁ କେତେ ଶିଳ୍ପ ବନ୍ଦ ହୋଇଛି ସେ ବିଷୟରେ ଗଣନା ହୋଇନାହିଁ। ପରବର୍ତ୍ତୀ ଶିଳ୍ପ ଗଣନା ହେବା ପରେ ୩, ୫ ଓ ୧୦ ବର୍ଷ ଧରି କେତେ ଶିଳ୍ପ ବନ୍ଦ ହୋଇଛି ସେ ନେଇ ତଥ୍ୟ ମିଳିପାରିବ। ରାଜ୍ୟରେ ଇଡ୍‌କୋ ଦ୍ୱାରା ସ୍ଥାପିତ ୧୧୬ଟି ଶିଳ୍ପାଞ୍ଚଳରେ ୫,୭୭୫ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଜମି ଯୋଗାଇ ଦିଆଯାଇଛି। ସେଥିରୁ ୯୦୩ଟି ଶିଳ୍ପସଂସ୍ଥା ବନ୍ଦ ରହିଛି।

Share