ପ୍ରୋତ୍ସାହନ ଅଭାବରୁ ବାଧାପ୍ରାପ୍ତ ହେଉଛି ହସ୍ତଶିଳ୍ପ

ଡେରାବିଶ,୧୫ା୯(ବେବର୍ତ୍ତା ଅଜୟ ଦାସ): ବାଉଁଶର ଅଭାବ ଯୋଗୁ ବିଲୁପ୍ତ ହେବାକୁ ବସିଲାଣି ବାଉଁଶର ହାତ ତିଆରି ଘରକରଣା ସାମଗ୍ରୀ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ହସ୍ତଶିଳ୍ପ ବାଧାପ୍ରପ୍ତ ହେଉଛି। ଯଦି ପ୍ରୋତ୍ସାନ ମିଳନ୍ତା ଏହି କୁଟିିରଶିଳ୍ପ ବଞ୍ଚିତ ରହନ୍ତା ବୋଲି କାରିଗରମାନେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲା ସମେତ ବାହାର ଜିଲାରେ ଡେରାବିଶ ବ୍ଲକ ଚାଟରାଚକଡ଼ା ପଞ୍ଚାୟତର ଚାଟରା ଓ ଫକିରାବାଦ ଗାଁର କାରିଗରଙ୍କ ଦ୍ୱାରା ନିର୍ମିତ ବାଉଁଶ ତିଆରି ଘରକରଣା ସାମଗ୍ରୀ ପ୍ରସିଦ୍ଧି ଲାଭ କରିଥିଲା। ବାଉଁଶର ନିର୍ମିତ ହେଉଥିବା ଟୋକେଇ, ଝୁଡ଼ି, ପାଚିଆ, କୁଲା, ବାଇଁଶିଆ ଏବଂ ଭୋଗ ଡାଲା ସମେତ ଅନ୍ୟ ସାମଗ୍ରୀ ଏହି ଦୁଇଟି ଗ୍ରାମରୁ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଥିଲା। ଟୋକେଇ କି ଝୁଡ଼ି ହେଉ ବାହାର ଜିଲାରୁ ଆସି ଲୋକମାନେ କିଣି ନେଉଥିଲେ। ସେହିପରି କୁଲା ଓ ବାଇଁଶିଆ ଏବଂ ଭୋଗ ଡାଲା କିଣିବା ପାଇଁ ଲୋକେ ଏହି ଗାଁକୁ ଆସୁଥିଲେ।
ଏ ସମ୍ପର୍କରେ ଚାଟରା ଗାଁର ଭଗବାନ ଯେନା କହିଛନ୍ତି, ବିଭିନ୍ନ ଗାଁରୁ ବାଉଁଶ କିଣି ଆଣି ତାକୁ ଚିରି ପାତିଆ କଲା ପରେ ସେଥିରେ ଟୋକେଇ ଓ ଝୁଡ଼ି ତିଆରି କରିଥାଉ। ଗୋଟିଏ ବାଉଁଶରେ ୩ଟି ଝୁଡ଼ି ତିଆରି ହୋଇଥାଏ। ସେହିପରି ଗୋଟିଏ ବାଉଁଶରେ ୩ଟି ଟୋକେଇ କରିଥାଉ। ଏହି ଝୁଡ଼ି ଓ ଟୋକେଇ ନେବାପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ବରାଦ ଅନୁସାରେ ଯୋଗାଇ ଦେଉଥିଲୁ। ଏହାଦ୍ୱାରା ଆମର ଆର୍ଥିକ ଉନ୍ନତି ହେଉଥିଲା। ସେହିପରି ଗ୍ରାମର ସରସ୍ବତୀ ଯେନା, କମଳା ଯେନା ଓ ସବିତା ଯେନା କହିଛନ୍ତି, ବିବାହ ଉତ୍ସବ ପାଇଁ ଆବଶ୍ୟକ ଥିବା କୁଲା ଓ ବାଇଁଶିଆ କିଣିବାକୁ ଆସିଥିବା ଗ୍ରାହକଙ୍କୁ ବିକିଥାଉ। ଏଥିସହ ପାର୍ବଣ ଋତୁରେ ବାଉଁଶ ତିଆରି ଭୋଗଡାଲା, ଖଇଛଡ଼ା ଇତ୍ୟାଦି ସାମଗ୍ରୀର ବହୁଳ ଚାହିଦା ରହିଥିବାରୁ ଏହାକୁ ଦୃଷ୍ଟିରେ ଅଧିକ ସଂଖ୍ୟାରେ ଏହି ସାମଗ୍ରୀ ନିର୍ମଣ କରିଥାଉ। ସେହିପରି ଗ୍ରାମର ପ୍ରମୋଦ ଯେନା ଓ ପ୍ରଶାନ୍ତ ଯେନା କୁହନ୍ତି, ବୃକ୍ଷକୁ ସୁରକ୍ଷା ଦେବାକୁ ତିଆରି ହେଉଥିବା ବାଉଁଶ ତିଆରି ଓଟେଇ ନେବା ପାଇଁ ଜିଲା ଓ ଜିଲା ବାହାରୁ ଆମକୁ ବରାଦ ମିଳିଥାଏ। ଏହି ବାଉଁଶର ଓଟେଇ ତିଆରି କରି ବିକ୍ରି କରିଥାଉ। ମାତ୍ର ବାଉଁଶର ବ୍ୟାପକ ଅଭାବ ପାଇଁ ବାଉଁଶ ତିଆରି ସାମଗ୍ରୀ ବିଲୁପ୍ତ ହେବା ଆଶଙ୍କା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଯଦି ବାଉଁଶର ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯାଇ ପାରନ୍ତା ଏବଂ ଏହି କୁଟିରଶିଳ୍ପ ଉପରେ ନିର୍ଭରଶୀଳ ପରିବାରକୁ ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ଏହି ଶିଳ୍ପର ଚାହିଦା ବୃଦ୍ଧି ପାଆନ୍ତା। ତେବେ ଏ ସମ୍ପର୍କରେ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତ ଦୁମୁକା ଗ୍ରାମର ବାସନ୍ତୀ କୁମାରୀ ରଥ କହିଛନ୍ତି, ବାଉଁଶ ତିଆରି ଡାଲା, ବାଇଁଶିଆ, କୁଲା, ଭୋଗଡାଲାର ଚାହିଦା ପ୍ରତ୍ୟେକ ପରିବାରରେ ରହି ଆସିଛି। ସେହିପରି ବାଉଁଶ ତିଆରି ଢୋଲରେ ମାଟି ଓ ଗୋବର ଦେଇ ଲିପିବା ସହ ଏହା ଭିତରେ ଅମଳ ହୋଇଥିବା ଧାନ ରଖିଲେ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ସେହିପରି ଫକିରାବାଦ ଗ୍ରାମର କେଶବ ଚରଣ ପାତ୍ର କହିଛନ୍ତି, ବାଉଁଶ ତିଆରି ସାମଗ୍ରୀ ଆମର କୁଳ ବେଉସା। ଏହାକୁ ତିଆରି କରି ସପ୍ତାହିକ ଛତା, ଚାନ୍ଦୋଳ, ପଞ୍ଚୁପାଣ୍ଡବ ହଳଦିଆ ପାଟଣା ହାଟରେ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଥାଉ। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ବ୍ଲକ ଅଞ୍ଚଳରେ ବ୍ୟାପକ ବାଉଁଶ ଚାରା ରୋପଣ ପାଇଁ ଉଦ୍ୟାନ କୃଷି ବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏଥିସହ ସାମାଜିକ ବନୀକରଣ ଯୋଜନାରେ ବାଉଁଶ ଚାରା ରୋପଣ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

Share