ପୋଖରୀରେ ଫସିରହିଛି ଆହତ ଦନ୍ତା

ସମ୍ବଲପୁର/ପଡିଆବାହାଲ, ୧୮ା୬(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ବନଖଣ୍ଡରେ ପ୍ରାୟ ୨୦ଦିନ ହେଲା ଆହତ ହୋଇ ବୁଲୁଥିବା ଏକ ଦନ୍ତାହାତୀ ଶୁକ୍ରବାର ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ଫସିରହିଥିବା ଦେଖିବାକୁ ମିଳିଥିଲା। ଦନ୍ତାର ଗୋଡ଼ରେ କ୍ଷତ ରହିଥିବାରୁ ଏହା ଫୁଲିଯାଇଛି। କୌତୁହଳବଶତଃ ହାତୀ ଦେଖିବାକୁ ପୋଖରୀ କୂଳରେ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଲାଗିରହିଥିଲା। ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକ ଡା. ସରିତ ପାତ୍ର ଓ ତାଙ୍କ ଟିମ୍‌ ପହଞ୍ଚତ୍ ଦନ୍ତାର ଚିକିତ୍ସା କରିଥିଲେ। ସମ୍ବଲପୁର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ବିଶ୍ୱନାଥ ନୀଳାମ୍ବର ଘଟଣାସ୍ଥଳରେ ପହଞ୍ଚତ୍ ଦନ୍ତାର ସ୍ବାସ୍ଥ୍ୟାବସ୍ଥା ଦେଖିଥିଲେ। ଡିଏଫ୍‌ଓଙ୍କ କହିବା ଅନୁସାରେ ଦନ୍ତାକୁ ବନ ବିଭାଗ ପକ୍ଷରୁ ଟ୍ରାକ୍‌ କରାଯାଉଛି। କ୍ଷତ ସଫା କରି ପୂର୍ବରୁ ଚିକିତ୍ସା କରାଯାଇଥିଲା। ହାତୀଟି ଠିକ୍‌ ଭାବେ ଚାଲିପାରୁ ନାହିଁ। ପାଣି ପିଇବାକୁ ଜଳାଶୟକୁ ଚାଲି ଆସିଥିଲା। ଗହଳି କମିଲେ ଏହା ପୋଖରୀରୁ ବାହାରି ଜଙ୍ଗଲକୁ ଚାଲିଯିବ ବୋଲି ଆଶା କରାଯାଉଛି। ବନ ବିଭାଗ ଦନ୍ତା ଉପରେ ନଜର ରଖିଛି ବୋଲି ସେ କହିଥିଲେ। ଡାକ୍ତର ପାତ୍ର କହିଥିଲେ, ହାତୀକୁ ଚିକିତ୍ସା କରାଯାଇଛି। ପ୍ରଥମେ ପୋଖରୀରୁ ବାହାରି ଆସିଥିଲା। କିଛି ସମୟ ପରେ ପୁଣି ପାଣି ଭିତରକୁ ଚାଲିଯାଇଛି। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ହାତୀର ଚିକିତ୍ସା କରାଯାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ ମେ’ ୨୯ ତାରିଖରେ ମୁର୍ଗାବାରି ଗ୍ରାମ୍ୟ ଜଙ୍ଗଲରେ ଆହତ ଦନ୍ତାକୁ ଠାବ କରାଯାଇଥିଲା। ପରେ ଓୟୁଏଟି ପ୍ରଫେସର ଇନ୍ଦ୍ରମଣୀ ନାଥ, ସମ୍ବଲପୁର ବୁର୍ଲା ଭିଏସ୍‌ ସତ୍ୟଜାତ ପଣ୍ଡା, ଯୁଯୁମୁରା ଭିଏସ୍‌ ଅମ୍ରତି ସାହୁଙ୍କୁ ନେଇ ଗଠିତ ଟିମ୍‌ ଏହାର ଚିକିତ୍ସା କରିଥିଲେ। ଦନ୍ତାର ଗୋଡ଼ରେ ଗଭୀର କ୍ଷତ ରହିଥିଲା। ଟ୍ରାଙ୍କୁଲାଇଜ କରି କ୍ଷତ ସଫା କରିବା ପରେ ଆବଶ୍ୟକ ଇଞ୍ଜେକ୍‌ଶନ ଓ ଔଷଧ ଦିଆଯାଇଥିଲା।

Share