ଖୋଲିଲା ଭିତର ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ଭିତରେ ଥିବା ସୁନା ଅଳଙ୍କାର ଏକ ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମ୍‌କୁ ସ୍ଥାନାନ୍ତର କରାଯାଇଛି।
ଏହା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଟ୍ରେଜେରୀରୁ ଯେଉଁ ଚାବି ଅଣାଯାଇଥିଲା, ସେଥିରେ ଖୋଲିଲା ନାହିଁ। ସରକାରଙ୍କ ଏସ୍‌ଓପି ଅନୁଯାୟୀ, ତାଲା  ଭଙ୍ଗା ଯାଇ ଭିତରକୁ ଟିମ୍‌ ଯାଇଥିଲେ। ଭିତର ରତ୍ନଭଣ୍ଡାରରେ ସିନ୍ଦୁକରେ ଅଳଙ୍କାର ଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଆଜି ଗଣତି ହେବ ନାହିଁ କେବଳ ଯାଞ୍ଚ ହେବ ବୋଲି ସେ  କହିଛନ୍ତି।

ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଥିଲେ। ଏମାନଙ୍କ ମଧ୍ୟରେ ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଜଷ୍ଟିସ୍‌ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯାଇଥିଲେ। ଏଥିସହ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଭିରତକୁ ଯାଇଥିଲେ।

Share