୫କୋଟି ବ୍ୟୟରେ ହେବ ବ୍ୟାଖ୍ୟାକରଣ କେନ୍ଦ୍ର

ଭୁବନେଶ୍ୱର,୭।୪(ବ୍ୟୁରୋ): ବିଶ୍ୱର ଏକ ପ୍ରମୁଖ ଐତିହାସିକ ସ୍ଥଳ ଭାବେ ଧଉଳି ଶାନ୍ତି ସ୍ତୁପ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହି ଠାରୁ ହିଁ ଶାନ୍ତି, ଅହିଂସା ଓ ସତ୍ୟର ମନ୍ତ୍ର ସମଗ୍ର ବିଶ୍ୱକୁ ଉଦ୍‌ବୁଦ୍ଧ କରିଥିଲା। ଏହି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ପାଇଁ ମଙ୍ଗଳବାର ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଧାରଣ ଉଦ୍ୟୋଗ ଓ ସମାଜ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଧଉଳି ସ୍ତୁପର ତୁରନ୍ତ ମରାମତି କରାଯିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର ଗୁରୁତ୍ୱ ଉପଲବ୍ଧ କରି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଣ୍ଡା ତୁରନ୍ତ ବିଧାୟକ ଆଞ୍ଚଳିକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଏକ ଚେକ୍‌ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ ଚନ୍ଦ୍ର ସ୍ବାଇଁଙ୍କୁ ପ୍ରଦାନ କରିଥିଲେ। ଧଉଳି ଉନ୍ନୟନ କମିଟି ମାଧ୍ୟମରେ ତଥା ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିସ୍ତୁପର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ଆବଶ୍ୟକ ପଡ଼ିିଲେ ଆଉ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୨୦୨୨ରେ ଧଉଳି ଶାନ୍ତିସ୍ତୁପର ୫୦ବର୍ଷ ପ୍ରତିଷ୍ଠା ଦିବସ ପାଳନ ହେବ। ଏହାକୁ ଭବ୍ୟରୀତିରେ ପାଳନ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଛି। ଆଗାମୀ ଦିନରେ ଧଉଳିରେ ୫କୋଟି ଟଙ୍କା ବ୍ୟୟରେ ଏକ ବ୍ୟାଖ୍ୟାକରଣ କେନ୍ଦ୍ର ଆରମ୍ଭ କରାଯିବ। ଏଥିଲାଗି ୧୨ ଏକର ଜମି ଉପଲବ୍ଧ ଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ବୈଠକରେ କଳିଙ୍ଗ ବୁଦ୍ଧ ନିପନ୍‌ ସଂଘର ଟୋସିଆକି ଟାନବା, ଟାକାହିରୋ ଓ କୋନୋଗି, ବେଇଦି ନାକାସାଟୋ, ଯୋଜନା ଓ ସମନ୍ବୟର ଉପନିର୍ଦ୍ଦେଶକ ଶଙ୍କର ବେହେରା, ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ, ସହକାରୀ ଜିଲାପାଳ ସମୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share