ଛତ୍ରପୁର, ୨୩।୭(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ ଗୁରୁବାର ଟିମ୍ ଅନୁଧ୍ୟାନ କରିବା ସହ ଯାଞ୍ଚ କରିଥିବା ଜଣାପଡ଼ିଛି।
ଜେଲରେ ଥିବା ୧୩୦ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଟିମ୍ର ସଦସ୍ୟମାନେ ପଚାରି ବୁଝିଥିଲେ। ଯାହାର କିଛି ଲକ୍ଷଣ ଦେଖାଦେବ ସେସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ଜେଲ ସୁପରିଡେଣ୍ଟ ଶୁଭସ୍ମିତା ବିଶାଳଙ୍କୁ ଉକ୍ତ ଟିମ କହିଛି। ଏଠାରେ ଦୈନିକ ଜେଲ ଫାର୍ମାସିଷ୍ଟଙ୍କ ପକ୍ଷରୁ ସମସ୍ତ ଅନ୍ତେବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଥିବା ସୂଚନା ଦିଆଯାଇଛି। ଅପରପକ୍ଷରେ ଜେଲର ସମସ୍ତ କର୍ମଚାରୀ ଓ ଅନ୍ତେବାସୀଙ୍କ କରୋନା ଟେଷ୍ଟ ହେବ। ତେବେ ଛତ୍ରପୁର ଉପଜ଼ିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧ ଭୋଇ ଓ ହସ୍ପିଟାଲ ସୁପରିଡେଣ୍ଟ ଡା. କାହ୍ନୁ ଚରଣ ପାତ୍ର ଜେଲ ପରିଦର୍ଶନରେ ଯାଇଥିଲେ।
ପ୍ରକାଶଯୋଗ୍ୟ, ବ୍ରହ୍ମପୁର ଜେଲର ୪୩ କର୍ମଚାରୀ ଓ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅନ୍ୟ ଜେଲ ମାନଙ୍କରେ ଯାଞ୍ଚ ଆରମ୍ଭ ହୋଇଛି।