Categories: ଖେଳ

ଫେବୃୟାରୀ ୧୮ରେ ଆଇପିଏଲ୍‌ ନିଲାମ

ନୂଆଦିଲ୍ଲୀ,୨୮।୧(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ପାଇଁ ଆସନ୍ତା ଫେବୃୟାରୀ ୧୮ ତାରିଖରେ ଖେଳାଳି ନିଲାମ ଆୟୋଜନ ହେବ। ଏହି ହାଇପ୍ରୋଫାଇଲ ଖେଳାଳି ନିଲାମ ଚେନ୍ନାଇରେ ଆୟୋଜନ କରାଯିବ ବୋଲି ଆଇପିଏଲ୍‌ ଆୟୋଜକମାନେ ସୂଚନା ଦେଇଛନ୍ତି। ଆଇପିଏଲ୍‌ ଟୁଇଟର ହ୍ୟାଣ୍ଡଲରେ ଏ ନେଇ ଘୋଷଣା କରାଯାଇଛି। ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦୁଇଟି ଟେଷ୍ଟ ଖେଳାଯିବା ପରେ ଏହି ମିନି ଅକ୍ସନର ଆୟୋଜନ ହେବ। ପ୍ରଥମ ଟେଷ୍ଟ ଫେବୃୟାରୀ ୫ରୁ ଓ ଦ୍ୱିତୀୟ ଟେଷ୍ଟ ୧୩ରୁ ଆରମ୍ଭ ହେବ।
ଏଥର ଆଇପିଏଲ ଭାରତରେ ଆୟୋଜନ ହେବା ନେଇ ଭାରତୀୟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୌଣସି ନିଷ୍ପତ୍ତି ନେଇନାହିଁ। ତେବେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ୍‌ ଭାରତରେ ଆୟୋଜନ କରିବାକୁ ଯଥାସମ୍ଭବ ପ୍ରୟାସ କରାଯିବ ବୋଲି କହିଛନ୍ତି। ଆଇପିଏଲ୍‌ର ୨୦୨୦ ସଂସ୍କରଣ କୋଭିଡ୍‌-୧୯ କାରଣରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ ହୋଇଥିଲା। ଭାରତ- ଇଂଲଣ୍ଡ ଘରୋଇ ସିରିଜ ସଫଳତାର ସହ ଖେଳାଯାଇପାରିଲେ ତାହା ଆଇପିଏଲ୍‌ ଆୟୋଜନ ପାଇଁ ବାଟ କାଢିବ। ଜାନୁୟାରୀ ୨୦ ତାରିଖରେ ପ୍ଲେୟାର୍ସ ରିଟେନ୍‌ଶନ ଡେଡ୍‌ଲାଇନ୍‌ ଶେଷ ହୋଇଥିଲା। ସେହିପିର ଟ୍ରେଡିଂ ଓ୍ବିଣ୍ଡୋସ୍‌ ଫେବୃୟାରୀ ୪ ତାରିଖରେ ଶେଷ ହେବ।

Share