ଗାଜାକୁ ଦୁଇଭାଗ କଲା ଇସ୍ରାଏଲୀ ସେନା

ତେଲ୍‌ ଆଭିଭ୍‌,୭ା୧୧:ହମାସ୍‌ ଇସ୍ରାଏଲ୍‌ ଯୁଦ୍ଧକୁ ସୋମବାର ମାସେ ପୂରିଛି। ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବାରୁ ତେଲ୍‌ ଆଭିଭ୍‌ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା। ଇସ୍ରାଏଲୀ ସେନା ଗାଜା ଉପରେ ପ୍ରବଳ ଆକ୍ରମଣ ଜାରି ରଖିଛି। ଗାଜା ଷ୍ଟ୍ରିପ୍‌ର ଉତ୍ତର ଭାଗ ସମେତ ଅନେକ ଅଞ୍ଚଳରେ ବୋମାମାଡ଼ ହେଉଛି। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଗାଜାକୁ ଦୁଇଭାଗ ଉତ୍ତର ଗାଜା ଓ ଦକ୍ଷିଣ ଗାଜାରେ ବିଭକ୍ତ କରିସାରିଲାଣି ବୋଲି କହିଛି। ଏଥିସହିତ ରବିବାର ସେଠାରେ ଜୋର୍‌ଦାର ବୋମାମାଡ଼ କରାଯାଇଛି। ଇସ୍ରାଏଲୀ ସେନା ଗାଜା ସିଟିକୁ ସମ୍ପୂର୍ଣ୍ଣ ଘେରି ରହିଥିବାବେଳେ ଅଧିକ ସୈନ୍ୟ ଗାଜାରେ ପ୍ରବେଶ କରିବାକୁ ଯାଉଛନ୍ତି। ବିଜୟୀ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଘୋଷଣା କରିଛନ୍ତି।
ମାସକର ଯୁଦ୍ଧରେ ଗାଜାରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଥିବାବେଳେ ଅନେକ ହଜାର ଆହତ ହେଲେଣି। ଅଧିକାଂଶ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହେଲାଣି। ରବିବାର ଆମେରିକା ପରରାଷ୍ଟ୍ର ସଚିବ ଅଚାନକ ଓ୍ବେଷ୍ଟ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମହମ୍ମଦ ଆବ୍ବାସଙ୍କୁ ଭେଟିଥିଲେ। ଗାଜାରେ ତୃତୀୟ ଥର ପାଇଁ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ସେଠାରେ ଖାଦ୍ୟ, ପାନୀୟ, ଇନ୍ଧନ, ଔଷଧ ଆଦି ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ଦେଖାଦେଇଛି। ଯୁଦ୍ଧ ଲାଗିରହିଥିବାରୁ ବାହାର ସହାୟତା ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚତ୍ପାରୁ ନାହିଁ। ସହାୟତା ପହଞ୍ଚାଇବା ପାଇଁ ମାନବୀୟତା ଦୃଷ୍ଟିକୋଣରୁ ଯୁଦ୍ଧବିରତି ପାଇଁ ଜାତିସଂଘ ସମେତ ବିଭିନ୍ନ ଦେଶ ଆହ୍ବାନ ଦେଇଛନ୍ତି।
ଗାଜା ଜନସଂଖ୍ୟାର ୭୦ ପ୍ରତିଶତ ଅର୍ଥାତ୍‌ ୧୫ ଲକ୍ଷ ଲୋକେ ଘର ଛାଡ଼ି ପଳାଇଗଲେଣି। ଅନ୍ୟପକ୍ଷରେ ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ରୁ ୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୪୦ ଜଣଙ୍କୁ ହମାସ ପଣବନ୍ଦୀ ରଖିଛି। ଉତ୍ତର ଗାଜାର ଲୋକମାନଙ୍କୁ ତୁରନ୍ତ ଦକ୍ଷିଣ ଭାଗକୁ ଚାଲିଯିବା ଲାଗି ଇସ୍ରାଏଲ୍‌ ବାରମ୍ବାର ଆହ୍ବାନ ଦେଇଥିଲା। ଆକାଶମାର୍ଗରୁ ଲିଫ୍‌ଲେଟ୍‌ ପକାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା। ଏବେ ଉତ୍ତର ଗାଜାରେ ୩.୫ ଲକ୍ଷ ଲୋକ ରହିଯାଇଥିବାବେଳେ ଏହା ଏବେ ସହରାଞ୍ଚଳ ଓ୍ବାର୍‌ ଜୋନ୍‌ରେ ପରିଣତ ହୋଇଛି।

Share