ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ: ସତ୍ୟପାଠରେ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୩ା୬: ଉଚ୍ଚ ନ୍ୟାୟାଳୟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ କୁମାର ରାଉତ ଓ ଜଷ୍ଟିସ ବି.ପି. ଶତପଥିଙ୍କ ଖଣ୍ଡପୀଠରେ ହୋଇଥିଲା। ବିଧାୟକଙ୍କ ଲାଗି ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା ଓ ବନୀକରଣ ନେଇ ହାଇକୋର୍ଟ ବିସ୍ତୃତ ବିବରଣୀ ମାଗିଛନ୍ତି। ସାଧାରଣ ପ୍ରଶାସନ(ଜିଏ) ବିଭାଗ ସଚିବ ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନଧାର୍ଯ୍ୟ କରାଯାଇଛି। ଏଥି ସହିତ ସମ୍ପୃକ୍ତ ଅଞ୍ଚଳରେ ଗଛ ନ କାଟି କିଭଳି ବିଧାୟକମାନଙ୍କ ପାଇଁ କ୍ୱାର୍ଟର୍ସ ନିର୍ମାଣ ହୋଇପାରିବ ସେ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ କରିବାକୁ ହାଇକୋର୍ଟ କହିଛନ୍ତି। ପ୍ରତ୍ୟୁତ୍ତରରେ ନିୟମ ଅନୁଯାୟୀ ସବୁ ହେଉଥିବା ସରକାରୀ ଓକିଲ ଯୁକ୍ତି ରଖିଛନ୍ତି। ସତ୍ୟପାଠ ଦାଖଲ ନ ହେବା ପର୍ଯ୍ୟନ୍ତ ଗଛ ନ କାଟିବାକୁ ସରକାରୀ ଓକିଲ ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିରେ ଖିଲାପ ହେଲେ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଆବେଦନକାରୀଙ୍କ ଓକିଲ କହିଥିବା ଜଣାପଡ଼ିଛି। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ବାଗତ କରିଛି। ପ୍ରସ୍ତାବିତ ପ୍ରକଳ୍ପର ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ଏତେ ସଂଖ୍ୟାରେ ବୃକ୍ଷ କାହିଁକି କଟାଗଲା, ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ଓକିଲ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଗଛ କଟା ଏବେ ବନ୍ଦ ରହିଛି। ଗଛ କଟାକୁ ନେଇ ହାଇକୋର୍ଟଙ୍କ ଆଭିମୁଖ୍ୟକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ବାଗତ କରିବା ସହିତ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଏହାର ଆବାହକ ସୁଦର୍ଶନ ଦାସ କହିଛନ୍ତି।

Share