ହିଜାବ ପ୍ରସଙ୍ଗ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ନାଟକର ଉଡୁପି ଓ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ତାହାକୁ ନେଇ ବିବାଦ ଲାଗିରହିଛି। ଏପରି କି ଶିକ୍ଷାନୁଷ୍ଠାନ ନିୟମକୁ ବିରୋଧ କରି ୫ ଛାତ୍ରୀ କର୍ନାଟକ ହାଇକୋର୍ଟରେ ଆବେଦନ କରିଛନ୍ତି, ଯାହାର ଶୁଣାଣି ୮ ଫେବୃୟାରୀରେ ହେବାର ଅଛି। ଉଲ୍ଲେଖଯୋଗ୍ୟ ଯେ, ବୁର୍କାରେ ମୁସଲମାନ ଯୁବତୀ ଓ ମହିଳା ସମ୍ପୂର୍ଣ୍ଣ ଶରୀର ଆବୃତ କରୁଥିବା ବେଳେ ମୁଣ୍ଡ ଘୋଡ଼ାଇବା ସକାଶେ ବ୍ୟବହାର କରୁଥିବା ବସ୍ତ୍ର (ହିଜାବ)କୁ ନେଇ ବିଭିନ୍ନ ରାଷ୍ଟ୍ରରେ ଦୀର୍ଘବର୍ଷ ହେବ ବିତର୍କ ଲାଗିରହିଛି। ତେବେ ଫ୍ରାନ୍ସରେ ପ୍ରଥମେ ଏହି ଧର୍ମୀୟ ପୋଷାକ ବନ୍ଦ ହୋଇଥିବା ବେଳେ ଶେଷ ୟୁରୋପୀୟ ଦେଶ ଭାବେ ସୁଇଜରଲାଣ୍ଡ ଏହାକୁ ନିଷେଧ କରିଥିବାରୁ ଭାରତରେ ମଧ୍ୟ ତାହାର ପ୍ରତିଫଳନ ଆରମ୍ଭ ହୋଇଯାଇଛି। ତେବେ ହିଜାବ ବିବାଦ ପରେ ସଂହତି, ସଦ୍‌ଭାବନା ଓ ସାଧାରଣ ଶୃଙ୍ଖଳା ବ୍ୟାହତ କରୁଥିବା ପୋଷାକକୁ କର୍ନାଟକ ସରକାର ୫ ଫେବୃୟାରୀରେ ନିଷେଧ କରିଛନ୍ତି। ଏଥିସହିତ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ୟୁନିଫର୍ମ ବା ଗଣବେଶ ପରିଧାନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏପରି କି ଘରୋଇ ଶିକ୍ଷାନୁଷ୍ଠାନରେ ଏହାର ପରିଚାଳନା କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ଡ୍ରେସ୍‌ କୋଡ୍‌ ମାନିବାକୁ ପଡ଼ିବ ବୋଲି କୁହାଯାଇଛି। କିନ୍ତୁ ହିଜାବ ପ୍ରସଙ୍ଗକୁ ଏବେ ରାଜନୀତୀକରଣ କରାଯାଇଛି। ଭାଜପା ଶାସିତ ରାଜ୍ୟ କର୍ନାଟକରେ ବିରୋଧୀ କଂଗ୍ରେସ ଏହି ନିଷ୍ପତ୍ତିକୁ ବିରୋଧ କରି ମୁସଲମାନ ଛାତ୍ରୀମାନଙ୍କ ସପକ୍ଷରେ ଛିଡ଼ା ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିରାଚରିତ ଭାବେ ମୁସଲ୍‌ମାନ ଝିଅଙ୍କର ହିଜାବ ପିନ୍ଧିବାର ଅଧିକାର ଅଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଏଠାରେ କୁହାଯାଇପାରେ ଯେ, ହିନ୍ଦୁ ମହିଳାମାନେ ମଧ୍ୟ ନିଜ ମୁଣ୍ଡକୁ ଶାଢ଼ିର ଓଢ଼ଣିରେ ଘୋଡ଼ାଇ ଥାଆନ୍ତି। ଅର୍ଥାତ୍‌ ମୁଣ୍ଡ ଘୋଡ଼ାଇବା ଭାରତୀୟ ଉପ-ମହାଦେଶରେ ଏକ ପ୍ରଥା, ଯାହାକୁ ସବୁ ଧର୍ମରେ ସ୍ବୀକାର କରାଯାଏ। ତେବେ ଓଡ଼ିଆରେ କଥା ଅଛି- ‘ଖା ଭୁଞ୍ଜ୍‌ ଗିଳ୍‌’। କର୍ନାଟକରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦକୁ ଦେଖିଲେ ମନେହେଉଛି ଯେପରି ଜୋର୍‌ଜବରଦସ୍ତ ଗିଳେଇବାର ଉଦ୍ୟମ ଆରମ୍ଭ ହୋଇଛି। କଲେଜରେ ପଢ଼ୁଥିବା ଛାତ୍ରୀମାନଙ୍କୁ ବ୍ୟବହାର କରି ମୁସଲ୍‌ମାନ ସମ୍ପ୍ରଦାୟର ପୁରୁଖା ବ୍ୟକ୍ତିମାନେ ଭାବିଛନ୍ତି ଯେ ଏହାଦ୍ୱାରା ଏକ ସାମାଜିକ ଯୁଦ୍ଧ ଆରମ୍ଭ କରିଦେବେ, ଯାହାର ପ୍ରଭାବ ରାଜନୈତିକ ଲୋକଙ୍କ ଉପରେ ପଡ଼ିବ। କିନ୍ତୁ ବାସ୍ତବତା ଦେଖିଲେ ତାଲିବାନ୍‌ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରେ ସେଠାକାର ସ୍ଥାନୀୟ ମହିଳାମାନେ ବୁର୍କା ଓ ହିଜାବ ବିରୋଧରେ ଆନ୍ଦୋଳନ କରି ସେସବୁ ପିନ୍ଧିବାକୁ ମନା କରୁଛନ୍ତି। ତୁର୍କୀ, ଟ୍ୟୁନିସିଆ ଓ ଇଜିପ୍ଟ ଭଳି ମୁସଲମାନ ରାଷ୍ଟ୍ରରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ସରକାରୀ କାର୍ଯ୍ୟାଳୟରେ ବୁର୍କାକୁ ନିଷେଧ କରାଯାଇଛି।
କର୍ନାଟକର ମୁସଲମାନ ଛାତ୍ରୀମାନେ ହିଜାବ ପିନ୍ଧି ଆସିବାରୁ ତାହାକୁ ବିରୋଧ କରି ହିନ୍ଦୁ ଛାତ୍ରମାନେ ବେକରେ ଗୈରିକ ଶାଲ୍‌ ବା ଉତ୍ତରୀୟ ପକାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିରୁ ବୁଝିବାକୁ ହେବ ଯେ, ଘୃଣାକୁ ଘୃଣା ମାଧ୍ୟମରେ ଲଢ଼ି ହେବନାହିଁ। ଯଦି ମୁସଲ୍‌ମାନ ସମ୍ପ୍ରଦାୟର ନେତାମାନେ ଭାବିଛନ୍ତି ଯେ, ହିନ୍ଦୁତ୍ୱବାଦୀ ଚିନ୍ତାଧାରାକୁ ପ୍ରତିରୋଧ କରିବାକୁ ଯାଇ କଠୋର ଇସ୍‌ଲାମୀୟ ପନ୍ଥା ଗ୍ରହଣ କରିବା ଉଚିତ, ତେବେ ସେମାନେ ସେମାନଙ୍କ ଯୁବପିଢ଼ିକୁ ଭୁଲ୍‌ ମାର୍ଗ ଦେଖାଉଛନ୍ତି। ଯେଉଁ ଚିନ୍ତାଧାରା ରାଜନୀତି ଭିତରେ ସୀମିତ ରହିଯିବା କଥା ତାହାକୁ ହିନ୍ଦୁ ଯୁବପିଢ଼ି ଭିତରେ ବୁଣିବା ଏକ ତ୍ରୁଟିପୂର୍ଣ୍ଣ ବିଚାର। ସବୁବେଳେ ଯେ ସଂଖ୍ୟାଗରିଷ୍ଠର ପ୍ରତ୍ୟେକ କାର୍ଯ୍ୟକୁ ବିରୋଧ କରାଯିବା ଉଚିତ ବୋଲି ଯଦି କେହି ଭାବୁଥାଆନ୍ତି, ତେବେ ତାହା ମଧ୍ୟ ବିପଦ ସୃଷ୍ଟି କରିବ। ସମାଜରେ ଭାରସାମ୍ୟ ରଖିବା ସକାଶେ ସଂଖ୍ୟାଲଘୁଙ୍କର ସେହି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ଯାହାକି ସଂଖ୍ୟାଗରିଷ୍ଠଙ୍କର ମଧ୍ୟ ରହିଛି। ଏହି ସ୍ତମ୍ଭରେ ପୂର୍ବରୁ ଅନେକ ଥର ଲେଖିଥିବା ବିଷୟକୁ ଏବେ ହିଜାବ ଘଟଣାକୁ ନେଇ ସ୍ମରଣ କରାଇ ଦିଆଯାଇପାରେ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତରେ ଯେତେବେଳେ ବିଭିନ୍ନ ମାରାତ୍ମକ ଆତଙ୍କବାଦୀ ଆକ୍ରମଣ ଘଟୁଥିଲା ସେତେବେଳେ ମୁସଲମାନ ସମ୍ପ୍ରଦାୟର କୌଣସି ବିରୋଧ ଶୁଣିବାକୁ ମିଳୁ ନ ଥିଲା। ଉଦାହରଣ ସ୍ବରୂପ ୧୯୯୩ ବମ୍ବେ ବିସ୍ଫୋରଣଠାରୁ ଆରମ୍ଭକରି ୨୦୦୮ ବମ୍ବେ ଆକ୍ରମଣ, ପଠାନକୋଟ୍‌, ପୁଲଓ୍ବାମା ଯାଏ ଅନେକ ଶହ ଆତଙ୍କବାଦୀ ଆକ୍ରମଣ ଏ ଦେଶରେ ଘଟିଯାଇଛି। ଏଥିରେ ପୋଲିସ, ସେନା ସମେତ ଅନେକ ସାଧାରଣ ଲୋକଙ୍କ ଜୀବନହାନି ସହ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ସେତେବେଳେ ମୁସଲମାନ ସମ୍ପ୍ରଦାୟରେ କେହି ପଦେ ସ୍ବର ଉତ୍ତୋଳନ କରିବାକୁ ଉଚିତ ମନେ କରି ନ ଥିଲେ। ଆଜି ଯେଉଁମାନେ ସେମାନଙ୍କ କନ୍ୟାମାନଙ୍କୁ ହିଜାବ ପିନ୍ଧି ଲଢ଼ିବା ଲାଗି ଆଗକୁ ଠେଲି ଦେଉଛନ୍ତି, ସେମାନେ ପୂର୍ବରୁ ଭାବି ନ ଥିଲେ ଯେ ସମୟ ଆସିପାରେ ଯେତେବେଳେ ଅତିଷ୍ଠ ହୋଇ ହିନ୍ଦୁମାନଙ୍କ ଏକତା ସେମାନଙ୍କ ପାଇଁ କାଳ ସାଜିପାରେ।
ଏହି ପରିପ୍ରେକ୍ଷୀରେ ତାଲିବାନ ଶାସନକୁ ଦେଖାଯାଇପାରେ। ସେଠାକାର ଦୁର୍ଦ୍ଦିନ ପାଇଁ ହିନ୍ଦୁ, ଖ୍ରୀଷ୍ଟିଆନ କିମ୍ବା ଅନ୍ୟ ଧର୍ମର ଲୋକଙ୍କ ହାତ ନାହିଁ। ସାମରିକ ଅସ୍ତ୍ରଶସ୍ତ୍ରରେ ବଳୀୟାନ ଗୋଟେ ମୁସଲମାନ ଗୋଷ୍ଠୀ ନିଜ ଧର୍ମର ଅନ୍ୟମାନଙ୍କ ଉପରେ ଅତ୍ୟାଚାର ଜାରିରଖିଛି। ୧୫ ଅଗଷ୍ଟ ୨୦୨୧ ପୂର୍ବରୁ ସେଠାରେ ଯୁବତୀ ଓ ମହିଳାମାନେ ସ୍ବାଧୀନ ଭାବେ ଆତଯାତ କରି ଯେଝା ବୃତ୍ତିରେ ସନ୍ତୁଷ୍ଟ ଥିଲେ। ତାଲିବାନ ଶାସନ ଆସିବା ପରେ ପ୍ରଗତିଶୀଳ ଚିନ୍ତାଧାରାକୁ ବଳି ପକାଯାଇ ମଧ୍ୟଯୁଗୀୟ ନିୟମକାନୁନ୍‌ ଲାଗୁ କରାଯିବା ପରେ ସେଠାରେ ଘୋର ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୋଇଯାଇଛି। ବୁର୍କା ବାଧ୍ୟତାମୂଳକ ଓ ନାରୀ ଶିକ୍ଷାକୁ ସଙ୍କୁଚିତ କରିଦିଆଯାଇଥିବା ବିଷୟ ବିଶ୍ୱ ଜାଣିଛି। ଏଭଳି ସ୍ଥଳେ ଭାରତରେ ମୁସଲମାନମାନେ ହିଜାବ ପ୍ରସଙ୍ଗକୁ ବୁଝିବା ଦରକାର। ବାସ୍ତବରେ ଯେଉଁ ବିଷୟ ଓ ପ୍ରସଙ୍ଗ ସର୍ବଜନ ମଙ୍ଗଳରେ ଆସୁଛି, ତାହାକୁ ସର୍ବାନ୍ତକରଣରେ ସହଯୋଗ କରାଯିବା ଦରକାର। ପ୍ରତିବାଦ କରିବା ଉଦ୍ଦେଶ୍ୟ ରଖାଯାଇ କେବଳ ବିରୋଧ କରାଗଲେ ତାହାର ପରିଣତି କଦାପି ସକାରାତ୍ମକ ଫଳ ଦେଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri