Advertisement

ରାଜ୍ୟରେ ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିରକୁ ଅନ୍ୟ ସହ ତୁଳନା କରା ନ ଯାଉ

ପୁରୀ ଅଫିସ,୯।୧୦: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଧାର୍ମିିକସ୍ଥଳ ଖୁବଶୀଘ୍ର ଖୋଲିପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି। ଜିଲାର ସ୍ଥିତି ଦେଖି କୋଭିଡ୍‌ ନିୟମ ମାନି ଖୋଲିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ପର୍ଯ୍ୟାୟକ୍ରମେ ଧର୍ମାନୁଷ୍ଠାନ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, କୋଭିଡ୍‌ ଦୃଷ୍ଟିକୋଣରୁ ବର୍ତ୍ତମାନ ଶ୍ରୀମନ୍ଦିର ଖୋଲିବା ସ୍ଥିତିରେ ନାହିିଁ। କାର୍ତ୍ତିିକ ମାସ ଏବଂ ନାଗାର୍ଜୁନ ବେଶ ପରେ ସେତେବେଳେ କରୋନାର ସ୍ଥିତି ଦେଖି ଛତିଶା ନିଯୋଗ ଏବଂ ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ ତାହା ହିଁ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଆଧାର କରି ଅନ୍ୟ ମନ୍ଦିର ଖୋଲାଯିବା ଦରକାର। ଜୀବନ ସହ ଜୀବିକାକୁ ବି ଦେଖିବାକୁ ପଡ଼ିବ। କିନ୍ତୁ ଶ୍ରୀମନ୍ଦିରକୁ ଅନ୍ୟ ମନ୍ଦିର ସହ ତୁଳନା କରା ନ ଯାଉ। ଆଗକୁ ଦଶହରା, କାର୍ତ୍ତିିକ ମାସ, ନାଗାର୍ଜୁନ ବେଶ, ଡିସେମ୍ବର ୨୫ ଓ ନୂଆବର୍ଷ ରହିଛି। ତେଣୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ। କୋଭିଡ୍‌ ଗାଇଡ୍‌ଲାଇନକୁ ଅନୁପାଳନ କରି କିପରି ଭକ୍ତଙ୍କ ଦର୍ଶନ ସମ୍ଭବ ତାହାକୁ ଚିନ୍ତା କରିବାକୁ ପଡ଼ିବ।

ସେବାୟତଙ୍କ ମତ ଲୋଡ଼ିବେ ମୁଖ୍ୟ ପ୍ରଶାସକ

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏ ଦିଗରେ ତତ୍ପରତା ପ୍ରକାଶ କରିଛି। ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମନ୍ଦିର ଖୋଲିବା ନେଇ ବିଭିନ୍ନ ସେବାୟତ ନିଯୋଗ ଏବଂ ଅନ୍ୟ ଅଂଶୀଦାରଙ୍କ ମତାମତ ନେବେ। କୋଭିଡ୍‌ କଟକଣା ଯୋଗୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପର୍ଯ୍ୟାୟକ୍ରମେ ମତାମତ ସଂଗ୍ରହ ଓ ବିଚାର ବିମର୍ଶ କରିବେ। ଶୁକ୍ରବାର ପରେ ପୁଣି ଆସନ୍ତା ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share