ପାନ୍ଥନିବାସକୁ ଘରୋଇକରଣ ଉଦ୍ୟମ ପ୍ରସଙ୍ଗ: ପୁନର୍ବିଚାର ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର(ବ୍ୟୁରୋ),୧୫।୯: ଲାଭରେ ଚାଲିବା ସତ୍ତ୍ୱେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥ ନିବାସଗୁଡ଼ିକୁ ଘରୋଇ ହୋଟେଲ ସଂସ୍ଥା ହାତକୁ ଟେକିଦେବାକୁ ଚକ୍ରାନ୍ତ କରାଯାଉଛି। ରାଜ୍ୟ ପର୍ଯ୍ୟଟନ ବିଭାଗର କେତେଜଣ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଫାଇଦା ପାଇଁ ପାନ୍ଥ ନିବାସଗୁଡ଼ିକୁ ଲିଜ୍‌ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ଅଭିଯୋଗ କରିଛି। ସଂଘ କହିଛି, ଲୋକଙ୍କୁ ସୁଲଭ ମୂଲ୍ୟରେ ତଥା ଭରସାଯୋଗ୍ୟ ଆତିଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ସରକାର ପାନ୍ଥନିବାସର ପରିକଳ୍ପନା କରିଥିଲେ। ଅବସର ବିନୋଦନ ନିମନ୍ତେ ପାନ୍ଥନିବାସ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତଙ୍କ ପ୍ରଥମ ପସନ୍ଦ ରହିଆସିଛି। ୨୦୦୩-୦୪ରୁ ରାଜ୍ୟର ସମସ୍ତ ପାନ୍ଥନିବାସ ନିୟମିତ ଲାଭରେ ଚାଲିଛି। ଏସବୁ ସତ୍ତ୍ୱେ ପ୍ରଥମେ ୫ ଓ ପରବର୍ତ୍ତୀ ସମୟରେ ସମସ୍ତ ୨୧ଟି ପାନ୍ଥନିବାସକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ କାହିଁକି ଭିତିରି ଷଡ଼ଯନ୍ତ୍ର କରାଯାଉଛି ତାହାକୁ ନେଇ ସଂଘ ପ୍ରଶ୍ନ କରିଛି।
ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି, ୧୯୯୯-୨୦୦୦ରୁ ନିଗମ ସରକାରଙ୍କଠାରୁ କୌଣସି ଇକ୍ୟୁଟି ଶେୟାର ପାଇନାହିଁ। ଏହାପରେ ବି ନିୟମିତ ଲାଭ କରି ଆସିଛି। ୨୦୧୭-୧୮ରେ ୨୧ ପାନ୍ଥନିବାସର କାରବାର ୩୧କୋଟି ୨୪ ଲକ୍ଷରୁ ୨୦୧୮-୧୯ରେ ୩୯ କୋଟି ୩୯ ଲକ୍ଷରେ ପହଞ୍ଚତ୍ଥିଲା। ୨୦୧୯-୨୦ରେ କରୋନା ସତ୍ତ୍ୱେ ୩୩କୋଟି ୨୬ଲକ୍ଷରୁ ଅଧିକ କାରବାର କରିଛି। ଫଳରେ ପାନ୍ଥନିବାସ ପରିଚାଳନା କରୁଥିବା ଓଟିଡିସି ୨୦୧୮-୧୯ରେ ସରକାରଙ୍କୁ ୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏବେ ଯେଉଁ ୫ଟି ପାନ୍ଥନିବାସକୁ ୩୦ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଦେବାକୁ ଉଦ୍ୟମ ହୋଇଛି ସେଗୁଡ଼ିକ ବି ଲାଭରେ ଚାଲିଛି। ଯେଉଁଥିପାଇଁ ଅଭିବୃଦ୍ଧି କ୍ଷେତ୍ରରେ ପାନ୍ଥନିବାସଗୁଡ଼ିକ ସରକାରଙ୍କ ବ୍ରୋଞ୍ଜ୍‌ ଉଦ୍ୟୋଗ ତାଲିକାରୁ ରୌପ୍ୟକୁ ଉନ୍ନୀତ ହୋଇଛି। ଏହାସତ୍ତ୍ୱେ ସରକାରଙ୍କ ଏହି ଲାଭକରୀ ସଂସ୍ଥାକୁ ସାମୟିକ ଭାବେ ବିକିଦେବାକୁ ଯୋଜନା କରିବା ଦୁର୍ଭାଗ୍ୟଜନକ ବୋଲି ସଂଘ ସଭାପତି ଶିବାନନ୍ଦ ରାୟ କହିଛନ୍ତି। ଯଦି ପର୍ଯ୍ୟଟନ ବିଭାଗ ଓଡ଼ିଶାକୁ ନାମୀ ହୋଟେଲକୁ ଆଣିବାକୁ ଚାହୁଁଛନ୍ତି ତା’ହେଲେ ସରକାର ଅନ୍ୟ ସ୍ଥାନରେ ସେମାନଙ୍କୁ ଜାଗା ଦେଇପାରିବେ। କିନ୍ତୁ ସେପରି ନକରି ପାନ୍ଥନିବାସ ଉପରେ ଆଖି ପକାଇବା ଠିକ୍‌ ହେବନି। ପାନ୍ଥନିବାସ ବେସରକାରୀ ହୋଟେଲ ଦ୍ୱାରା ପରିଚାଳିତ ହେଲେ ଏହା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ ବାହାରକୁ ଚାଲିଯିବ। ତେଣୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ସଚିବ, ଓଟିଡିସି ଅଧ୍ୟକ୍ଷା ଏ ବାବଦରେ ପୁନର୍ବିଚାର କରନ୍ତୁ। ନଚେତ୍‌ ସଂଘ ରାସ୍ତାକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share