ମହାପ୍ରଭୁଙ୍କ ରୋଷେଇରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ

ପୁରୀ,୧।୧୦: ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାରକୁ ନେଇ ମଙ୍ଗଳବାର ପ୍ରଶାସନ ବନ କାର୍ଯ୍ୟାନୁଷ୍ଠାନ ନେଇଛି। ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ଏମାନଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ସେବାରେ ପରମ୍ପରା ବର୍ହିଭୂତ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମାଟିକୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ଶ୍ରୀମନ୍ଦିର ସତ୍ତ୍ୱଲିପି ତଥା ପରମ୍ପରାର ଉଲ୍ଲଂଘନ ହେଉଛି। ଏଭଳି ଅଭିଯୋଗ ଆଣିବା ସହ ଏ ନେଇ ଆପତ୍ତି ଉଠାଇଥିଲା ସୁଆର ମହାସୁଆର ନିଯୋଗ। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ପରମ୍ପରା ଅନୁଯାୟୀ, ଲୁହାକଡ଼େଇରେ କେବଳ ଅମାଲୁ ଓ ପିଠାଜାତୀୟ ଭୋଗ ପ୍ରସ୍ତୁତ କରାଯାଇଥାଏ। ମାଟିକୁଡୁଆରେ ସମସ୍ତ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ତେବେ କୁଡୁଆ ଅଭାବ ଆଳରେ କେତେଜଣ ସୁଆର ସେବକ ମହାପ୍ରଭୁଙ୍କ ପରମ୍ପରା ଭାଙ୍ଗି ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

 

Share