ଜୟଦେବ ପୁରସ୍କାର ଅର୍ଥ ରାଶି ବଢ଼ାଇବାକୁ ଦାବି

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଐତିହ୍ୟ କ୍ୟାବିନେଟ୍‌ ବୈଠକରେ ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ରାଶି ପରିମାଣ ୧ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏକାଡେମୀଗୁଡିକର ପୁରସ୍କାର ବାବଦ ଅର୍ଥ ୫୦ହଜାରରୁ ୨ଲକ୍ଷ ଟଙ୍କାକୁ ବଢାଇବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ସ୍ବାଗତ କରିଥିବାବେଳେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ବାବଦ ଅର୍ଥରାଶି ୧ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବି କରାଯାଇଛି। ସଂଘ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲୀପ ହାଲି କହିଛନ୍ତି, ୧୯୮୧ରେ ସ୍ବର୍ଗତ କୃଷ୍ଣଚନ୍ଦ୍ର ତ୍ରିପାଠୀଶର୍ମାଙ୍କୁ ପ୍ରଥମ ‘ଜୟଦେବ ପୁରସ୍କାର’ ପ୍ରଦାନ ସମୟରେ ପୁରସ୍କାର ପରିମାଣ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୨୫ହଜାର, ୫୦ହଜାର ଓ ୨୦୧୪ରୁ ୧ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଏବେ ସରକାର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପୁରସ୍କାର ଓ ଧର୍ମପଦ ପୁରସ୍କାର ବାବଦ ଅର୍ଥରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ‘ଜୟଦେବ ପୁରସ୍କାର’ ପରିମାଣ ନ ବଢାଇବା ଦୁର୍ଭାଗ୍ୟର ବିଷୟ। ସଂସ୍କୃତି ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସଂଘ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

Share