Categories: ଫୁରସତ

ଚଢେଇ ଘଉଡେଇବା ଚାକିରି

ପୃଥିବୀରେ ଏମିତି ଅନେକ କାମ ଅଛି, ଯାହା ଅଜବ ହେଲେ ବି ମଣିଷ କରେ। କେବେ ଆର୍ଥିକସ୍ଥିତି ବାଧ୍ୟ କରେ ଏହି କାମ କରିବାକୁ ତ ଆଉ କେବେ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଚକ୍କରରେ ମଣିଷ ଏଭଳି କାମ କରିଥାଏ। ଏଇ ଯେମିତି ୟୁକେର ହ୍ବିଟ୍‌ ବେ ହାର୍ବରରେ ଥିବା ଏକ ଚିପ୍ସ କମ୍ପାନୀ ଏକ ଅଜବ ପୋଷ୍ଟ ବାହାର କରିଛି। ଏହି ପୋଷ୍ଟରେ କାମ କରୁଥିବା ଲୋକଙ୍କୁ କେବଳ ଚଢେଇ ଘଉଡେଇବାକୁ ହେବ। ଆଉ ଚଢେଇ ଘଉଡେଇବାରେ ସକ୍ଷମ ହୋଇପାରିଲେ ଦିନ ପିଛା ୨୦,୦୦୦ ଟଙ୍କା ମଜୁରୀ ମିଳିବ। ପ୍ରକୃତ କଥା ହେଉଛି ଯେଉଁ ସ୍ଥାନରେ ଉକ୍ତ କମ୍ପାନୀଟି ଅଛି ସେଠାରେ ମାଛ ରଖାଯାଏ। କାରଣ କମ୍ପାନୀ ଫିଶ୍‌ ଚିପ୍ସ ତିଆରି କରିଥାଏ। ତେଣୁ ଏଠାରେ ଦେଖାଯାଉଥିବା ସିଗଲ୍‌ ଚଢେଇ କମ୍ପାନୀର କର୍ମଚାରୀଙ୍କ ଉପରେ ଆକ୍ରମଣ କରି ମାଛ ଚୋରେଇକି ଖାଇଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ଲାଗି କମ୍ପାନୀର ମାଲିକ ଏଲେକ୍ସ ବୋୟଡ଼ ଏଭଳି ଏକ ପୋଷ୍ଟ ବାହାର କରିବାକୁ ଚିନ୍ତା କରିଥିଲେ। ଆଉ ଘୋଷଣା କଲେ ଯେ, ଯିଏବି ସିଗଲ୍‌ ଚଢେଇ ଘଉଡାଇ ମାଛକୁ ବଞ୍ଚାଇପାରିବ, ତାଙ୍କୁ ଦିନକୁ ୨୦,୦୦୦ଟଙ୍କା ଦିଆଯିବ। ଏଭଳି ଚାକିରି କଥା ଶୁଣି ଅନେକ ଲୋକ ଏହି କାମ କରିବା ଲାଗି ଆବେଦନ କଲେ। ତେବେ ମଜା କଥା ଏହି କାମରେ ନିଯୁକ୍ତି ପାଇଥିବା ଅନେକ ଲୋକ ସିଗଲ ଚଢେଇ ଘଉଡେଇବାରେ ସକ୍ଷମ ହେଲେନି। ଶେଷରେ କୋରୀ ନାମକ ଜଣେ ବ୍ୟକ୍ତି ଚିଲର କଷ୍ଟ୍ୟୁମ୍‌ ପିନ୍ଧି ଚଢେଇ ଘଉଡେଇବାକୁ ଚେଷ୍ଟା କଲେ। ଆଉ ତାଙ୍କର ଏହି ଉପାୟ କାମ ଦେଲା। କୌଣସି ଚଢେଇ ସେଠାରେ ନଜର ଆସିଲେନି। କମ୍ପାନୀ ମାଲିକ କୋରୀଙ୍କର ଏହି ଉପାୟରେ ବେଶ୍‌ ଖୁସି ଅଛନ୍ତି। ଆଉ ତାଙ୍କୁ ମୋଟା ଅଙ୍କର ଦରମା ବି ଦେଉଛନ୍ତି।

Share