Categories: ଜାତୀୟ

ଯେ ପର୍ଯ୍ୟନ୍ତ ଘୃଣା ଶେଷ ନ ହୋଇଛି ଯାତ୍ରା ରହିବ ଜାରି: ରାହୁଲ…

ନୂଆଦିଲ୍ଲୀ,୭।୯ : ଗୁରୁବାର ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଦେଶରେ ଘୃଣା ଶେଷ ନହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ଏକ ବର୍ଷ ପୂରଣ ହେବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଭାରତ ଯୋଡୋ ଯାତ୍ରା ଦ୍ୱାରା ଏକତା ଏବଂ ପ୍ରେମ ଦିଗରେ ନିଆଯାଇଥିବା କୋଟି କୋଟି ପଦକ୍ଷେପ ଦେଶ ପାଇଁ ଏକ ଆସନ୍ତାକାଲିର ମୂଳଦୁଆ ପାଲଟିଛି।

ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଏହି ଯାତ୍ରା ଜାରି ରହିବ ଘୃଣା ଶେଷ ନ ହେବା ପର୍ଯ୍ୟନ୍ତ, ଭାରତ ମିଳିତ ନ ହେବା ପର୍ଯ୍ୟନ୍ତ। ଏହା ମୋର ପ୍ରତିଜ୍ଞା ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୪୦୦୦ କିଲୋମିଟର ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ୧୨ ଟି ସାଧାରଣ ସଭା କରିଥିଲେ, ୧୦୦ ରୁ ଅଧିକ ଗଳି ସଭା ଏବଂ ୧୩ଟି ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ଜଣେ ପରିପକ୍ୱ ନେତାଙ୍କ ପରି ହୋଇପାରିଛି। ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ରାଜନୈତିକ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠିଥିଲା, କିନ୍ତୁ ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଗାନ୍ଧୀ ଜଣେ ଗୁରୁତର ରାଜନୈତିକ ନେତା ଭାବରେ ଉଭା ହୋଇଛନ୍ତି।

ସୂଚନାଯୋଗ୍ୟ,ବହୁ ସେଲିବ୍ରିଟି ତଥା ବିଶିଷ୍ଟ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ ତାଙ୍କର ଭାରତ ଯୋଡୋ ଗସ୍ତ ସମୟରେ ଭେଟିଥିଲେ। ସେଥିମଧ୍ୟରୁ କମଲ ହାସନ, ପୂଜା ଭଟ୍ଟ, ରିୟା ସେନ, ସ୍ବରା ଭାସ୍କର, ରଶ୍ମି ଦେଶାଇ, ଆକାଂକ୍ଷା ପୁରୀ ଏବଂ ଆମୋଲ ପାଲେକରଙ୍କ ପରି ଚଳଚ୍ଚିତ୍ର ଏବଂ ଟିଭି ସେଲିବ୍ରିଟିମାନେ ଭାରତ ଯୋଡା ଯାତ୍ରାରେ ଭାଗ ନେଇଥିଲେ। ଏମାନଙ୍କ ବ୍ୟତୀତ ପୂର୍ବତନ ସେନା ମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଦୀପକ କପୁର, ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ (ଅବସରପ୍ରାପ୍ତ) ଏଲ ରାମଦାସ ଏବଂ ପୂର୍ବତନ ଆରବିଆଇ ଗଭର୍ନର ରଘୁରାମ ରାଜନ ପ୍ରମୁଖ ରାହୁଲ ଗାନ୍ଧୀଙ୍କ ସହ ନଜର ଆସିଥିଲେ। ଭାରତ ଯୋଡୋ ଯାତ୍ରାରେ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ଆଦିତ୍ୟ ଠାକରେ, ପ୍ରିୟଙ୍କା ଚତୁର୍ବେଦୀ ଏବଂ ସଞ୍ଜୟ ରାଉତଙ୍କ ଭଳି ରାଜନୈତିକ ଜଗତର ନେତାମାନେ ଅଂଶଗ୍ରହଣ କରିଥିଲେ।

Share