ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ ବଡ଼ ଚିନ୍ତା ହେଉଛି ୨,୭୫୦ ବର୍ଗ କି.ମି. ଅଞ୍ଚଳ ପରିମିତ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ସଂରକ୍ଷଣ ଶିମିଳିପାଳ ଜାତୀୟ ଉଦ୍ୟାନକୁ ନେଇ। ବିଶେଷକରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ପ୍ରସିଦ୍ଧ ଏହି ଅଭୟାରଣ୍ୟ ପ୍ରାୟ ଦୁଇ ସପ୍ତାହ ହେଲା ନିଆଁର ଆଁରେ ଫସିରହିଛି। ବହୁ ଉଦ୍ୟମ ପରେ ଶିମିଳିପାଳର ଯେତିକି ଅଞ୍ଚଳର ନିଆଁ ଲିଭୁଛି, ସେତିକି ଅଞ୍ଚଳରେ ନିଆଁ ବ୍ୟାପି ଚାଲିଛି। ଏହି ବିପତ୍ତିର ଅନ୍ତ ଘଟୁ ନ ଥିବାବେଳେ ରାଜ୍ୟର ପ୍ରାୟ ସବୁ ଜିଲାରେ ଏବେ ଚିନ୍ତା ବଢ଼ାଇଛି ବନାଗ୍ନି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ବୃହତ୍ ଗଛ ପାଉଁଶ ହୋଇଛି। ଔଷଧୀୟ ବୃକ୍ଷଲତା ନଷ୍ଟ ହେବା ସହ ବହୁସଂଖ୍ୟକ ବନ୍ୟପ୍ରାଣୀ ଜୀବନ୍ତଦଗ୍ଧ ହୋଇଯାଉଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ବଣ, ପାହାଡ଼ ଘେରା ଗାଁ ଓ ସହର ଧୂଆଁମୟ ହୋଇଯାଇଛି। ଲୋକେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ଅନୁସାରେ, କିଛିଦିନ ହେବ ଶିମିଳିପାଳ ସମେତ ଓଡ଼ିଶାରେ ୩୦୦ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଶିମିିଳିପାଳ ସ୍ଥିତିରେ ସାମାନ୍ୟ ସୁଧାର ଆସୁ ନ ଥିବାବେଳେ ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟ ହୁ ହୁ ହୋଇ ଜଳୁଛି। ୨୭୨.୩୫ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଏକାଧିକ ପାହାଡ଼ ମଧ୍ୟରେ ଥିବା ଜଙ୍ଗଲ ଜଳୁଛି। ନିମିଷକେ ମଧ୍ୟରେ ହଜାର ହଜାର ବୃକ୍ଷଲତା ପୋଡ଼ି ପାଉଁଶ ହୋଇଯାଇଛି। ଅନେକ ସରୀସୃପ ଓ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ରହିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରୁନି ବନବିଭାଗ। ଗୋଟିଏ ପାହାଡ଼ରେ ଥିବା ଜଙ୍ଗଲରୁ ଅନ୍ୟ ପାହାଡ଼ର ଜଙ୍ଗଲକୁ ବ୍ୟାପୁଛି ନିଆଁ। ଗ୍ରୀଷ୍ମ ଋତୁ ଆରମ୍ଭରୁ କୁଲଡ଼ିହା ଅଭୟାରଣ୍ୟରେ ଏଭଳି ନିଆଁ ଜଙ୍ଗଲକୁ ଗିଳି ଚାଲିଛି। ଫଳରେ ଅଭୟାରଣ୍ୟ ପାଦଦେଶରେ ଥିବା ଜନବସତି ପ୍ରତି ବିପଦ ସୃଷ୍ଟି ହୋଇଛି। ନିଅଁା ଲାଗିବା ଖବର ବନ ବିଭାଗ ଠିକ୍ ସମୟରେ ପାଇପାରି ନ ଥିବାରୁ ନିଆଁ ଏତେ ବ୍ୟାପିଯାଇଥିବା କୁହାଯାଉଛି। ଏହି ନିଆଁ ମନୁଷ୍ୟକୃତ କାରଣରୁ ମଧ୍ୟ ଲାଗିଥାଇପାରେ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରୁ ସ୍ପଷ୍ଟ ହେଇପାରେ। କିନ୍ତୁ ଜଙ୍ଗଲ ନିଆଁ ଅତ୍ୟନ୍ତ ଗୁରୁତର, ଯାହା ତୁରନ୍ତ ଆୟତ୍ତକୁ ଆସିବା ଅତ୍ୟନ୍ତ ଜରୁରୀ। ନଚେତ ପରିବେଶ, ଜୀବଜଗତ, ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ସମଗ୍ର ମାନବ ସମାଜ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି।
କୁଲଡ଼ିହା ଅଭୟାରଣ୍ୟର ପାହାଡ଼ ଅଗ୍ରଭାଗରେ ନିଆଁ ଲାଗୁଥିବାରୁ ଦମକଳ ବାହିନୀ ସେଠାରେ ପହଞ୍ଚତ୍ବା ସମ୍ଭବ ହୋଇପାରୁନି। କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୧୦୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତିନିଦିନ ପରେ ରବିବାର କୁଲଡ଼ିହା ସେକ୍ସନ ବିଟ୍ର ନଣ୍ଡାଳିଘାଟି ବନାଗ୍ନି ଓ ଧୂଆଁ ଯୋଗୁ ଆଖପାଖ ଅଞ୍ଚଳର ତାପମାତ୍ରା ବଢ଼ିଯାଇଛି।
ବଣ ପାହାଡ଼ ଘେରା ନୟାଗଡ ଜିଲା ଏବେ ଏକପ୍ରକାର ଅଣନିଃଶ୍ୱାସୀ। କାରଣ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ନୟାଗଡ ସହର ସମେତ ଜିଲାର ବିଭିନ୍ନ ଗାଁ ଧୂଆଁମୟ ହୋଇଯାଇଛି। ଧୂଆଁରେ ଆଖି ପୋଡିବା ସହ ନିଃଶ୍ୱାସ ନେବା ଲୋକଙ୍କୁ କଷ୍ଟ ହେଉଛି। ଜିଲାର ପଞ୍ଚରିଡା ବନବିଭାଗର ରନତ୍ମାଳା, ଗୋଛା, ଭଣ୍ଡାର ଜଙ୍ଗଲ ଏବଂ ଦଶପଲ୍ଲା ରେଞ୍ଜର ସେଣ୍ଟ୍ରାଲ ସାଉଥ୍, ସେଣ୍ଟ୍ରାଲ ନର୍ଥ, ପୋଇବାଡି, ପୋଖରୀଗୋଛା, ଚଢ଼େୟାପଲ୍ଲୀ, ନସହର, ଆମ୍ବଲିମ୍ବା ଜଙ୍ଗଲରେ ନିଆଁଲାଗିଛି। ସେହିପରି ଓଡଗାଁ ରେଞ୍ଜର ଗୟଳସିଂହ, ବାହାଡାଝୋଲା ଜଙ୍ଗଲ ଓ ନୟାଗଡ ରେଞ୍ଜର ରୁଖି, ବଳରାମ, ଚକାପଥର, ଶୁଳିଆ ଜଙ୍ଗଲ ଜଳୁଛି। ମହିପୁର ରେଞ୍ଜର ଶୁଳିଆ, ରତାଦେଇ, ରଗଡିମଡା, ପଞ୍ଚପାଣ୍ଡବ, ମହିତମା, ଧାନସିଂସା, ସିଦ୍ଧାମୁଣ୍ଡିଆରେ ନିଆଁ ବ୍ୟାପୁଥିବାବେଳେ ଗଣିଆ ରେଞ୍ଜର କଦଳିବାରୀ, ସାପୁଆ ଜଙ୍ଗଲ ପୋଡୁଛି। ଖଣ୍ଡପଡା ରେଞ୍ଜର ମଇଁଷିବିନ୍ଧା, ଗୋଛାବାରୀ, ସାରେଣ୍ଡା, ବୁଢ଼ିଝରୀ, ସାପୁଆ ଜଙ୍ଗଲ ଅନୁରୂପ ଭାବେ ପୋଡୁଛି। ଜଙ୍ଗଲପୋଡ଼ିର ଫାଇଦା ନେଉଛନ୍ତି କେତେଜଣ ଲୋକ ଓ ଶିକାରୀ। ଜଙ୍ଗଲ ନିଆଁରୁ ବର୍ତ୍ତିବା ପାଇଁ ଗାଁ ମୁହଁା ହେଉଥିବା ବନ୍ୟଜନ୍ତୁ ଶିକାର କରାଯାଉଛି। ନୟାଗଡ଼ ଡିଏଫଓ ଏଚ୍.ଡି. ଧନରାଜ କୁହନ୍ତି, ରବିବାର ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ୨୧୫ ହେକ୍ଟର, ଖଣ୍ଡପଡ଼ା ରେଞ୍ଜର ୧୩ ହେକ୍ଟର, ମହିପୁର ରେଞ୍ଜର ୩୨ ହେକ୍ଟର, ଓଡ଼ଗାଁ ରେଞ୍ଜର ୧୨ ହେକ୍ଟର, ପଞ୍ଚରିଡା ରେଞ୍ଜର ୩୦.୬ ହେକ୍ଟର, ନୟାଗଡ଼ ରେଞ୍ଜର ୫ ହେକ୍ଟର, ଗଣିଆ ରେଞ୍ଜର ୯ ହେକ୍ଟର ଏପରି ମୋଟ ୩୧୬.୬ ହେକ୍ଟର ଜଙ୍ଗଲ ଜଳୁଛି। ବିଭିନ୍ନ ଜଙ୍ଗଲ ପାଇଁ ୪୧୦ଟି ଫାୟାର ପଏଣ୍ଟ କରାଯାଇଥିବାବେଳେ ୩୪୨ ପଏଣ୍ଟରେ ୪୨ ବନ ସୁରକ୍ଷା ସମିତିର ୨୭୩ ସଭ୍ୟ ଓ ୧୪୧ ବନ କର୍ମଚାରୀ ନିଆଁ ଲଭାଉଛନ୍ତି। ଗୋଟିଏ ଜଙ୍ଗଲର ଗୋଟିଏ ସ୍ଥାନରୁ ନିଆଁ ଲିଭା ଯାଉଥିବାବେଳେ ଅନ୍ୟ ସ୍ଥାନରେ ନିଆଁ ଜଳିଲାଣି। ନିଆଁ ଲଗାଉଥିବା ବ୍ୟକ୍ତିମାନେ ଜଙ୍ଗଲ ପୋଡ଼ିର ଭୟାବହତାକୁ ଜାଣି ପାରୁନାହାନ୍ତି। ନୟାଗଡ଼ ସହର ସାରା ଧୂଆଁମୟ ହେବା କଥା ଧନରାଜ ସ୍ବୀକାର କରିବା ସହ ଲୋକଙ୍କୁ ସଚେତନ ହେବାକୁ ନିବେଦନ କରିଛନ୍ତି।
ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ବାଦିବାହଳ, ଜାମୁନାଳୀ, ରାଇନାଳି, ଲକ୍ଷ୍ମୀପୁର ଆଦି ୪ ଗ୍ରାମ୍ୟ ଜଙ୍ଗଲ କିଛିଦିନ ହେବ ଜଳୁଛି। ଜଙ୍ଗଲ ନିଆଁ ଜନବସତିକୁ ମାଡ଼ି ଆସିବା ଭୟ ଲାଗି ରହିଛି। ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପାଲଲହଡ଼ା ବନାଞ୍ଚଳର ପ୍ରାୟ ୧୧,୫୦୦ ହେକ୍ଟର ପରିବ୍ୟାପ୍ତ ଏବଂ ୧୧୮୬ ମିଟର ଉଚ୍ଚ ମାଲ୍ୟଗିରି ପର୍ବତରେ ଥିବା ସଂରକ୍ଷିତ ଜଙ୍ଗଲ ଏବଂ ପୁରୁଣା ପାଉଡି ସଂରକ୍ଷିତ ଜଙ୍ଗଲ କିଛିଦିନ ହେବ ଜଳୁଛି। ଏଥିରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ଯାଇଛି। ପାଲଲହଡ଼ା ସହର ସମେତ ଏହାର ଆଖପାଖ ଅଞ୍ଚଳ ଧୂଁଆ ବଳୟ ମଧ୍ୟରେ ରହିଛି। ଲୋକେ ଅଣନିଃଶ୍ୱାସୀ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି।
କଳାହାଣ୍ଡି ଜିଲା ଜୁନାଗଡ ରେଞ୍ଜ ଅଧୀନ ମାକରଶୋଲା ରୁଟା ଜଙ୍ଗଲରେ ରବିବାର ନିଆଁ ଲାଗିଥିବା ଦେଖିବାକୁ ମିଳିଥିବାବେଳେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ରେଞ୍ଜ କୁତ୍ରା ବ୍ଲକ ପଞ୍ଚରା ସଂରକ୍ଷିତ ଜଙ୍ଗଲ ୮ ଦିନ ହେଲା ଜଳୁଛି। ବନବିଭାଗ ପକ୍ଷରୁ ନିଆଁକୁ ଲିଭାଇବାକୁ ଉଦ୍ୟମ ଚାଲିଥିଲେ ମଧ୍ୟ ରବିବାର ପର୍ଯ୍ୟନ୍ତ ଆୟତ୍ତ କରାଯାଇପାରି ନାହିଁ। ଦେବଗଡ଼ ଜିଲାର ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟ ୫ଦିନ ଧରି ଜଳୁଛି। ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ପ୍ରବଳ ଧୂଆଁ ଯୋଗୁ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ନିକଟ ଦେବଗଡ଼ ସହର ରାସ୍ତାଘାଟ ଧୂଆଁମୟ ହୋଇଛି।
ବୌଦ୍ଧ ଜିଲାର କଣ୍ଟାମାଳ, ମନମୁଣ୍ଡା, ବୌଦ୍ଧ, ପୁରୁଣାକଟକ ଓ ମାଧପୁର ଆଦି ୫ ରେଞ୍ଜରେ ଗତ ୪/୫ ଦିନ ହେବ ନିଆଁ ଲାଗିଛି। ଜିଲାରେ ପ୍ରାୟ ୯୨ହଜାର ୪୭୭ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି। ବର୍ତ୍ତମାନ ନିଆଁ ଲାଗିବା ଯୋଗୁ ୧୦ରୁ ୧୫ ହେକ୍ଟର ଜଙ୍ଗଲ ପୋଡିଥିବା ଜଣାପଡିଛି। ବିଶେଷ କରି ମାଧପୁର ଓ ପୁରୁଣାକଟକ ରେଞ୍ଜରେ ଅଧିକ ସ୍ଥାନରେ ନିଆଁ ଲାଗିଛି। ଏ ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲାର ସମସ୍ତ ରେଞ୍ଜର ୩୦୦ ସ୍ଥାନରେ ନିଆଁ ଲାଗିଛି। ଏନେଇ ବିଭାଗ ପକ୍ଷରୁ ଦିନରାତି ନିଆଁ ଲିଭା କାର୍ଯ୍ୟ ଚାଲୁ ରହିଛି। କମ୍ କର୍ମଚାରୀ ଥିବା ସତ୍ତ୍ୱେ ନିଆଁକୁ ଆୟତ୍ତ କରାଯାଉଛି। ତେବେ ବନ ବିଭାଗ କର୍ମଚାରୀ ନିଆଁ ଲିଭାଇବା ପରେ କେତେଜଣ ଅସାମାଜିକ ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇ ଦେଉଥିବା ଜଣାପଡ଼ିଛି। ଜଙ୍ଗଲଗୁଡିକର ଉଚ୍ଚ ସ୍ଥାନରେ ନିଆଁ ଲଗାଉଥିବାରୁ ଲିଭାଇବାକୁ କଷ୍ଟ ହେଉଛି। ଏଥିପ୍ରତି ଆମେ ସଜାଗ ଅଛୁ ବୋଲି ସେଠୀ କହଛନ୍ତି।
ବନାଗ୍ନିରୁ ଗଞ୍ଜାମ ଜିଲା ବାଦ୍ପଡ଼ିନି। ବିଭିନ୍ନ ବନଖଣ୍ଡର ଜଙ୍ଗଲଗୁଡ଼ିକରେ ପ୍ରତିଦିନ ନୂଆ ନୂଆ ସ୍ଥାନରେ ନିଆଁ ଲାଗୁଛି। ପ୍ରାୟ ସପ୍ତାହ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଲାଣି। ଘୁମୁସର ବନଖଣ୍ଡରେ ସ୍ଥିତି ଗମ୍ଭୀର ରହିଛି। ନିଆଁ ଆୟତ୍ତ ହୋଇପାରୁ ନ ଥିବାବେଳେ ଧୂଆଁରେ ସାଧାରଣ ଜନତା ଅଣନିଃଶ୍ୱାସୀ ହୋଇ ପଡ଼ିଲେଣି। ବୁଗୁଡ଼ା ବନାଞ୍ଚଳର କିରିଆମ୍ବା, ନାଡିଅମ୍ବା, ତାଳସର, ମାଣିତରା, ନଗୁଡୁ ଓ ବଡ଼ପଥର ଆଦି ଜଙ୍ଗଲ ସମେତ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପାହାଡ଼ ପ୍ରାୟ ୫ ଦିନ ହେଲା ଜଳୁଥିବା ବେଳେ ରବିବାର ଶୈବପୀଠ ଉପରିସ୍ଥ ସିଦ୍ଧଗୁମ୍ଫାରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ବନ୍ୟଜନ୍ତୁ ଓ ପକ୍ଷୀମାନେ ଗାଁ ମୁହଁା ହେଉଥିବା ବେଳେ ପରିବେଶ ଧୂଆଁମୟ ହୋଇପଡ଼ିଛି। ଏହି ନିଆଁ ମନୁଷ୍ୟକୃତ ବୋଲି ବୁଗୁଡ଼ା ରେଞ୍ଜର ଫକୀର ଚରଣ ବେହେରା କହିଛନ୍ତି। ଗୋଟିଏ ସ୍ଥାନରେ ନିଆଁ ଲିଭାଇବା ବେଳକୁ ନୂଆ ସ୍ଥାନରେ ନିଆଁ ଲାଗିଯିବା ଚିନ୍ତା ବଢ଼ାଇଛି। ବନ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଡିଏଫ୍ଓ ଅଭୟକାନ୍ତ ଦଳେଇ କହିଛନ୍ତି।
୯୦% ମନୁଷ୍ୟକୃତ
ଜଙ୍ଗଲ ନିଆଁର ମୋଟ ୯୦% କେବଳ ମନୁଷ୍ୟକୃତ ବୋଲି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡ଼ଛି। ମନୁଷ୍ୟକୃତ କାରଣ ଇଚ୍ଛାକୃତ ଏବଂ ଦୁର୍ଘଟଣାଜନିତ। ଅନେକ ସମୟରେ ଲୋକେ ବିଭିନ୍ନ କାରଣ ପାଇଁ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। ଯେମିତିକି ପୋଡ଼ୁଚାଷ, କେନ୍ଦୁଗଛର ନୂଆ ପତ୍ର ପାଇଁ, ଅଙ୍ଗାର, ଗାଁ ଲୋକଙ୍କ ଲାଗି ରାସ୍ତା ଫିଟାଇବା, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛ କଟାକୁ ଲୁଚାଇବା ଆଦି ଇଚ୍ଛାକୃତ। ସେହିପରି ମହୁଲ ଆଦି ଅଣ କାଠ ଜାତୀୟ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ, ଜଙ୍ଗଲ ମଧ୍ୟରେ ରୋଷେଇ, ଜଙ୍ଗଲ ଭିତରେ ରାସ୍ତା କାମ ପାଇଁ ପିଚୁ ଗରମ କରିବା ଆଦି ଦୁର୍ଘଟଣା ଜନିତ ନିଆଁ ଯୋଗୁ ଜଙ୍ଗଲ ଧ୍ୱଂସ ହୋଇଯାଉଛି। ହେଲେ ଏଥିପାଇଁ ସମଗ୍ର ମାନବଜାତି ଓ ଜୀବଜଗତକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ଜଙ୍ଗଲରେ ଥରେ ନିଆଁ ବ୍ୟାପକ ହୋଇଗଲେ ତାକୁ ଲିଭାଇବା ଅତ୍ୟନ୍ତ କଷ୍ଟ। ତେଣୁ ସାବଧାନତାର ପଦକ୍ଷେପ ହିଁ ଏକମାତ୍ର ଉପାୟ। ଜଙ୍ଗଲ ନିଆଁର ସଫଳ ପରିଚାଳନା ପାଇଁ ସମସ୍ତଙ୍କୁ କାନ୍ଧରେ କାନ୍ଧ ମିଶେଇ ମିଳିତ ମୁକାବିଲା କରିବାକୁ ପଡ଼ିବ। ଖାଲି ବନ ବିଭାଗ ଉପରେ ଦୋଷ ବା ଦାୟିତ୍ୱ ଲଦିଦେଲେ ହେବ ନାହିଁ। ଠିକ୍ ଭାବରେ ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଅନେକ ଖସଡ଼ା କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି। ସେଗୁଡିକୁ ଠିକ୍ ଭାବରେ କାମରେ ଲଗେଇବା ଦରକାର। କେଉଁ ଗୋଟିଏ କ୍ଷେତ୍ରରେ ଦୁର୍ବଳତା ରହିଗଲେ ଜଙ୍ଗଲ ନିଆଁ ସହ ଲଢ଼େଇ ସହଜ ହେବନାହିଁ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ।