ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌। ଡିସେମ୍ବର ୫ ଯାଏ ଏହା ଚାଲିବ। ଏହାପୂର୍ବରୁ ବିନା ଦର୍ଶକରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଗହଳିରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମ୍ୟାଚ୍‌ ବେଳେ କେବଳ ଅନୁମତି ପାଇଥିବା ବ୍ୟକ୍ତି ଷ୍ଟାଡିୟମକୁ ପ୍ରବେଶ କରିପାରିବେ।

ବିଶ୍ୱକପ୍‌ରେ ୪ଟି ଗ୍ରୁପ୍‌ରେ ୧୬ ଟିମ୍‌କୁ ନେଇ ମୋଟ ୪୮ ମ୍ୟାଚ୍‌ ଖେଳାଯିବ। ନଭେମ୍ବର ୩୦ରୁ କ୍ଲାସିଫିକେଶନ ମ୍ୟାଚ୍‌, ଡିସେମ୍ବର ୧ରେ କ୍ୱାଟର ଫାଇନାଲ, ୩ରେ ସେମି ଫାଇନାଲ ପରେ ୫ରେ ଫାଇନାଲ ମୁକାବିଲା ହେବ। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ବାରଣଥିବାରୁ ସମସ୍ତ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ। ତେବେ ଏନେଇ ଏଫ୍‌ଆଇଏଚ୍‌ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

Share