ପରଦାରେ ଟକ୍କର ଦେଉଛି ‘ଦ କଶ୍ମୀର ଫାଇଲ୍ସ’: ବ୍ୟବସାୟରେ ରଚିଲା କୀର୍ତ୍ତିମାନ

ବମ୍ବେ: ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍‌ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କା ବ୍ୟବସାୟ କରିଛି।

ଖ୍ୟାତନାମା ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମଟି ଦର୍ଶକଙ୍କୁ ଭାବବିହ୍ବଳ କରୁଛି। ୧୯୯୦ ମସିହାରେ କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ନରସଂହାର ଘଟଣାକୁ ପୁଣି ମନେ ପକାଇ ଦେଇଛି। ଅଭିନେତା ଭାବେ ଏଥିରେ ଅନୁପମ ଖେର, ଦର୍ଶନ କୁମାର, ମିଥୁନ ଚକ୍ରବର୍ତ୍ତି ଏବଂ ପୁନୀତ ଇସ୍ସରଙ୍କୁ ଦେଖିବାକୁ ମିଳୁଛି।

‘ଦ କଶ୍ମୀର ଫାଇଲ୍ସ’ର କାହାଣୀ ପୁଷ୍କର ନାଥ ପଣ୍ଡିତ ନାମକ ଏକ ଶିକ୍ଷକଙ୍କ ଆଖପାଖରେ ଘୁରି ବୁଲୁଛି। କିଭଳି ପୋଲିସ, ସ୍ଥାନୀୟ ପ୍ରଶାସନ, ରାଜ୍ୟ ଏବଂ ଦେଶର ସରକାର ଥିବା ସତ୍ତ୍ୱେ କଶ୍ମୀରରୁ ହିନ୍ଦୁମାନେ ଚାଲିଆସିବାକୁ ବାଧ୍ୟ ହୋଇଛନ୍ତି ତାହା ଦେଖାଯାଇଛି। ଏହାଛଡ଼ା ନିଜ ଦେଶରେ ଶରଣାର୍ଥି ଭାବେ ସେମାନେ ରହୁଛନ୍ତି। ଏହି ସମୟରେ ଲୋକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ମହିଳା-ଶିଶୁଙ୍କ ଉପରେ ହୋଇଥିବା ଲଜ୍ଜାଜନକ ଘଟଣାକୁ ପରଦାରେ ଦେଖିବାକୁ ମିଳୁଛି। ଲୋକମାନେ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଓ୍ବିକେଣ୍ଡ ଥିବାରୁ ଆଗାମୀ ଦିନରେ ଏହା ଅଧିକ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

Share