‘ଦ କଶ୍ମୀର ଫାଇଲ୍ସ’କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ, ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି କଲେ ସରକାର

ମୁମ୍ବାଇ,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏହି ଫିଲ୍ମକୁ ଦେଶର ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ଗୁଜୁରାଟ, ଗୋଆ, ମଧ୍ୟପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ତ୍ରିପୁରାରେ ଟ୍ୟାକ୍ସ ଫ୍ରି କରାଯାଇଥିବା ବେଳେ ଏବେ ଉତ୍ତରାଖଣ୍ଡ ସରକାର ଟ୍ୟାକ୍ସ ଫ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିକଟରେ ଟୁଇଟ୍‌ ଯୋଗେ ଫିଲ୍ମ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏହି ଫିଲ୍ମଟି କଶ୍ମୀର ଉପତ୍ୟକାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଓ ପଳାୟନ ଉପରେ ଆଧାରିତ। କଶ୍ମୀରୀ ପଣ୍ଡିତମାନଙ୍କୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାର କାହାଣୀ ଏହି ଫିଲ୍ମ ଜରିଆରେ ଚିତ୍ରଣ କରାଯାଇଛି। ଏହି ଫିଲ୍ମରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ଦର୍ଶକେ ଖୁବ ପ୍ରଶଂସା କରୁଛନ୍ତି। ଫିଲ୍ମରେ ପଲ୍ଲବୀ ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମଣ୍ଡଲେକର, ପୁନିତ ଇସର ପରି ବରିଷ୍ଠ କଳାକାର ପ୍ରଶଂସନୀୟ ଅଭିନୟ କରିଛନ୍ତି।

Share