ଗୁଜରାଟ, ମଧ୍ୟପ୍ରଦେଶ-ହରିଆଣା ପରେ ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ,୧୪।୩: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ପିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାଲ୍‌ କରିବା ସହ ଭଲ ଆୟ କରୁଥିବା ବେଳେ ଏହାକୁ ଭଲ ରିଭ୍ୟୁ ମଧ୍ୟ ମିଳୁଛି। ଇତିମଧ୍ୟରେ ସବୁଠୁ ବଡ଼ ଖୁସି ଖବର ହେଉଛି ଏହି ଫିଲ୍ମକୁ ଦେଶର ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ପରେ ଏବେ କର୍ନାଟକ ଓ ଗୋଆରେ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି। ରବିବାର କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି କଶ୍ମୀର ଉପତ୍ୟକାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଓ ପଳାୟନ ଉପରେ ଆଧାରିତ। କଶ୍ମୀରୀ ପଣ୍ଡିତମାନଙ୍କୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାର କାହାଣୀକୁ ଏହି ଫିଲ୍ମ ଜରିଆରେ ଚିତ୍ରଣ କରିଥିବାରୁ ବିବେକ ଅଗ୍ନିହୋତ୍ରୀଙ୍କୁ ବୋମ୍ମାଇ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି। ତେବେ ‘ଦ କଶ୍ମୀର ଫାଇଲ୍ସକୁ ସମର୍ଥନ କରିବା ଏବଂ ଏହାକୁ ଦେଖିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲାଗି କର୍ନାଟକରେ ଏହାକୁ ଟ୍ୟାକ୍ସ ମୁକ୍ତ କରାଯାଇଛି ବୋଲି ବୋମ୍ମାଇ କହିଛନ୍ତି। ଅନ୍ୟପଟେ ଫିଲ୍ମର ସଫଳତା ମଧ୍ୟରେ ଗୋଆର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ‘ଦ କଶ୍ମୀର ଫାଇଲ୍ସ’କୁ ସମର୍ଥନ କରିଛନ୍ତି। ଏଥିସହ ରାଜ୍ୟରେ ଏହାକୁ ଯଥାସମ୍ଭବ ପରଦାରେ ପ୍ରଦର୍ଶିତ କରାଯିବ ବୋଲି ପ୍ରମୋଦ ସାୱନ୍ତ କହିଛନ୍ତି। ରବିବାର ସନ୍ଧ୍ୟାରେ ସାୱନ୍ତ ଟୁଇଟ କରି କହିଛନ୍ତି, ଏହି ଫିଲ୍ମ ହିନ୍ଦୁମାନଙ୍କର ଯନ୍ତ୍ରଣା, ସଂଘର୍ଷ ଓ ଦୁଃଖର କାହାଣୀକୁ ସମସ୍ତଙ୍କୁ ବୁଝିବା ଆବଶ୍ୟକ। ଯାହା ଦ୍ୱାରା ଏହା ସୁନିଶ୍ଚିତ କରାଯାଇପାରିବ କି, ଯେପରି ଏହା ଇତିହାସର ପୁନରାବୃତ୍ତି ନ ହୁଏ। ଏତଦ୍‌ ବ୍ୟତୀତ ଗୋଆରେ ମଧ୍ୟ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯିବ ବୋଲି ପ୍ରମୋଦ ସାୱନ୍ତ କହିଛନ୍ତି।

Share