ୟୁଏଇରେ ରିଲିଜ୍ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଇଣ୍ଡିଆନ ବକ୍ସ ଅଫିସରେ ଧମାଲ ମଚାଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଏବେ ୟୁଏଇ ଆଡେ ମୁହାଁଇଛି । କିଛିଦିନ ତଳେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଥିଲେ ତାଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ୟୁଏଇରେ ବ୍ୟାନ କରି ଦିଆଯାଇଛି । ହେଲେ ଏହାର କାରଣ ଅସ୍ପଷ୍ଟ ଥିଲା । ଏବେ କିନ୍ତୁ ବିବେକ ଅଗ୍ନିହୋତ୍ରୀ ଟୁଇଟ୍ କରି ଜଣାଇଛନ୍ତି କି ତାଙ୍କ ଫିଲ୍ମରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ତେଣୁ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୟୁଏଇରେ ଏପ୍ରିଲ ୭ରେ ରିଲିଜ୍ ହେବାକୁ ଯାଉଛି । ତାହା ପୁଣି ବିନା କଟ୍‌ରେ ।
ବିବେକ ଟୁଇଟ୍ କରି ଲେଖିଛନ୍ତି ବଡ ସଫଳତା, ଶେଷରେ ୟୁନାଇଟେଡ ଅରବ ଏମିରେଟ୍ସ(ୟୁଏଇ)ରେ ସେନସରର ଅନୁମତି ମିଳିଯାଇଛି । ରେଟେଡ ୧୫+ ବିନା କୌଣସି କଟ୍‌ରେ ଏହା ପାସ୍ ହୋଇଛି । ୭ ଏପ୍ରିଲ(ଗୁରୁବାର) ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏହା ଜାଣିବା ପରେ ଅଭିନେତା ଅନୁପମ ଖେର ବି ଖୁସି ମନାଇଛନ୍ତି । ସେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟକୁ ରି ଟୁଇଟ୍ କରି ହର ହର ମହାଦେବ ବୋଲି ଲେଖିଛନ୍ତି । ଚଳିତ ମାସ ଆରମ୍ଭରେ ବିବେକ ଏକ ସାକ୍ଷାତ୍‌କାରରେ କହିଥିଲେ କି କିଛି ଦେଶ ‘ଦ କଶ୍ମୀର ଫାଇଲ୍ସ’ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଏବେ ୟୁଏଇ ଏହି ପ୍ରତିବନ୍ଧକ ହଟାଇ ଦେଇଥିବା ବେଳେ କତ୍ତର ଓ ସିଙ୍ଗାପୁରରେ ଏବେ ପର୍ଯ୍ୟନ୍ତ ପ୍ରତିବନ୍ଧକ ରହିଛି ।
ଶୁଣିବାକୁ ମିଳିଛି କି ବ୍ରିଟିଶ ସଂସଦ ଫିଲ୍ମ ନିର୍ଦ୍ଦେଶକ ବିବେକ ଓ ତାଙ୍କ ପତ୍ନୀ ପଲ୍ଲବି ଯୋଶୀ(ଯିଏ ଫିଲ୍ମରେ ଅଭିନୟ କରିଛନ୍ତି) କଶ୍ମୀର ହିନ୍ଦୁଙ୍କ ଦୁର୍ଦ୍ଦଶା ସମ୍ବଦ୍ଧରେ କଥା ହେବା ଲାଗି ଆମନ୍ତ୍ରଣ କରିଛନ୍ତି । ଗଣମାଧ୍ୟମ ସହ କଥା ହେବା ସମୟରେ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

Share