‘ଦ କଶ୍ମୀର ଫାଇଲ୍ସ’କୁ ନିନ୍ଦା କଲେ କାନାଡା ଫିଲ୍ମ ମେକର, ଓସ୍କାର ପଠାଇଲେ ଲଜ୍ଜିତ ହେବ ଭାରତ

ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ବହୁ ବାଦ ବିବାଦ ପରେ ବି ଏହା ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା । କେବଳ ଦେଶ କାହିଁକି ବିଦେଶରେ ବି ଦର୍ଶକେ ଏହାକୁ ପସନ୍ଦ କରିଥିଲେ । ଏହାରି ଭିତରେ କିନ୍ତୁ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ କାନାଡାର ଫିଲ୍ମ ମେକର ଡାଏଲନ ମୋହନ ଗ୍ରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଗ୍ରେ କହିଛନ୍ତି ‘ଦ କଶ୍ମୀର ଫାଇଲ୍ସ’ କେବଳ ହିଂସା ସୃଷ୍ଟି କରୁଥିବା ଏକ ଫିଲ୍ମ । ଏହା କେବଳ ଘୃଣାକୁ ବଢାଇବ । ଯଦି ଏହି ଫିଲ୍ମକୁ ଓସ୍କାର ପାଇଁ ପଠାଯାଏ ତେବେ ଭାରତ ଲଜ୍ଜିତ ହେବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବଲିଉଡ ଫିଲ୍ମ ମେକର ଅନୁରାଗ କଶ୍ୟପ କହିଥିଲେ, ମୋତେ ଡର ଲାଗୁଛି କି ‘ଦ କଶ୍ମୀର ଫାଇଲ୍ସ’କୁ ଓସ୍କାର ପାଇଁ ପଠା ନ ଯାଉ । ଏହି କଥାକୁ ନେଇ ରାଗି ଯାଇଥିଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏହାକୁ ନେଇ ଟୁଇଟ କରି ଅନୁରାଗଙ୍କୁ ବିବେକ ଗାଳି ଦେବା ସହ କହିଥିଲେ ‘ଦ କଶ୍ମୀର ଫାଇଲ୍ସ’ ବିରୋଧର ଘୃଣାର କ୍ୟାମ୍ପେନ ଆରମ୍ଭ କରିଛନ୍ତି ଅନୁରାଗ । ଏବେ ଏହି ଟୁଇଟକୁ ରି ଟୁଇଟ କରି କାନାଡା ଫିଲ୍ମମେକର ଗ୍ରେ କହିଛନ୍ତି, ହଁ ‘ଦ କଶ୍ମୀର ଫାଇଲ୍ସ’ ଘୃଣା ସୃଷ୍ଟି କରୁଥିବା ଏକ ଫିଲ୍ମ । ଏହା ଓସ୍କାରକୁ ଗଲେ ଭାରତ ଲଜ୍ଜିତ ହେବ । ଅନୁରାଗ କଶ୍ୟପ ଠିକ କହିଛନ୍ତି ଆଉ ଦେଶ ପାଇଁ ଭଲ ଚିନ୍ତା କରିଛନ୍ତି । ଏବେ ପର୍ଯ୍ୟନ୍ତ ଏହାକୁ ନେଇ ବିବେକଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୧ରେ ରିଲିଜ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ମାତ୍ର ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବେଳେ ଏହା ୩୦୦ କୋଟି ବ୍ୟବସାୟ କରିଥିଲା । ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଥିଲେ ।

Share