ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର କାୟାକଳ୍ପ ଟିମ୍ ପରିଦର୍ଶନ କରିଛନ୍ତି। ଏହି ଟିମ୍ ଆସିବା ପୂର୍ବରୁ ବୁଧବାର ରାତିରେ ମେଡିକାଲ ପରିସର ସଫେଇ ସହ ସୌନ୍ଦର୍ଯ୍ୟକରଣ ଦିନଗରେ କର୍ତ୍ତୃପକ୍ଷ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା।
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏସ୍.କେ. ଧଳ ଓ ହସ୍ପିଟାଲ ମ୍ୟାନେଜର ଅଲିଭା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ମେଡିକାଲରେ ଥିବା ବିଭିନ୍ନ ଅବ୍ୟବସ୍ଥାରେ ସୁଧାର ଆଣିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା। ମେଡିକାଲ ପରିମଳ ବ୍ୟବସ୍ଥା ଠିକ୍ ନ ଥିବା ଦେଖି ଟିମ୍ ସଦସ୍ୟମାନେ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏହାକୁ ପ୍ରଥମେ ସୁଧାରିବାକୁ କହିବା ସହ ମିଳୁଥିବା ଚିକିତ୍ସା ସୁବିଧା ସମ୍ପର୍କରେ ଅଧିକରୁ ଅଧିକ ସୂଚନା ଫଳକ ଲଗାଇବାକୁ ପରାମର୍ଶ ଦେଇଥିଲେ। ଟିମ୍ ସଦସ୍ୟମାନେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଏମ୍ସିଏଚ୍ ବିଲ୍ଡିଂ, ଏସ୍ଏନ୍ସିୟୁ, ଶିଶୁ ୱାର୍ଡ, ଓଟି, ଲେବର ରୁମ୍ ଆଦି ବୁଲି ଦେଖିଥିଲେ। ପରେ ପର୍ଯ୍ୟାୟକ୍ରମେ ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ସ୍ବଚ୍ଛତା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ରେକର୍ଡଗୁଡ଼ିକ କିଭଳି ଭାବେ ସଜାଇ ରଖାଯିବ ସେ ନେଇ କହିଥିଲେ। ସଫେଇ କର୍ମଚାରୀଙ୍କୁ ଅଧିକ ତାଲିମ ପ୍ରଦାନ ଓ ମେଡିକାଲ ପାଚେରିକୁ ଲାଗି ଥିବା ଦୋକାନ ଉଚ୍ଛେଦ କରିବାକୁ କହିଛନ୍ତି। ଏହି ଟିମ୍ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ରାଜ୍ୟସ୍ତରୀୟ ଟିମ୍ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିବ। ୪ ଜଣିଆ ଟିମ୍ ପରିଦର୍ଶନ ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ଦେବାଶିଷ ଦାଶ, ଜିଲା ମ୍ୟାଲେରିଆ ଅଧିକାରୀ ପୂର୍ଣ୍ଣିମା ଉଦ୍ଗାତା, ମାଇକ୍ରୋ ବାୟୋଲୋଜିଷ୍ଟ ଏସ୍.ଏସ୍. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।