୧୦୦ କୋଟି କ୍ଲବରେ ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା ଆୟ କରିସାରିଲାଣି। ପ୍ରଯୋଜନା ସଂସ୍ଥା ସନ୍‌ଶାଇନ୍‌ ପିକ୍ଚର୍ସ ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି। କେବଳ ଶନିବାର ଏହି ଫିଲ୍ମ ୧୯.୫ କୋଟି ଟଙ୍କା ଆୟ କରିଛି। କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ମହିଳାମାନଙ୍କୁ ଧର୍ମାନ୍ତରଣ ପରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦରେ ନିୟୋଜିତ କରାଯିବା କାହାଣୀ ଉପରେ ପର୍ଯ୍ୟବସିତ ‘ଦି କେରଲା ଷ୍ଟୋରି’କୁ ନେଇ ରାଜନୈତିକ ମହଲରେ ମଧ୍ୟ ବିବାଦ ଉଠିଛି। ଏହାର ପ୍ରଦର୍ଶନ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିଥିବାବେଳେ ଭାଜପା ଶାସିତ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟ ଫିଲ୍ମକୁ ଟିକସମୁକ୍ତ କରିଛନ୍ତି। ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ତଥା ଭିପୁଲ ଶାହାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଆଦା ଶର୍ମା ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ହିନ୍ଦୀ ଫିଲ୍ମ ‘ଦି କେରଲା ଷ୍ଟୋରି’ ଭାରତରେ ମେ’ ୫ରେ ମୁକ୍ତିଲାଭ କରିଥିବାବେଳେ ଗତ ୧୨ ତାରିଖରେ ୩୭ ଦେଶରେ ରିଲିଜ ହୋଇଥିଲା।

Share