‘ଦ କେରଲା ଷ୍ଟୋରି’କୁ ନେଇ ଏନସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। ଏହି ଫିଲ୍ମକୁ ନେଇ ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି। ମଧ୍ୟପ୍ରଦେଶ ପରେ ଏବେ ଉତ୍ତର ପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଏପଟେ ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ସରକାର ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏବେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏହି ଫିଲ୍ମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।
ଏନସିପି ନେତା କହିଛନ୍ତି ‘ଦ କେରଲା ଷ୍ଟୋରୀ’ ନାମରେ ଗୋଟିଏ ରାଜ୍ୟ ଓ ଏହାର ମହିଳାଙ୍କୁ ବଦନାମ କରାଯାଉଛି। ୩୨ ହଜାରର ମିଛ ସଂଖ୍ୟା ଦିଆଯାଇଛି। ଏହି କାଳ୍ପନିକ ଫିଲ୍ମକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ସାର୍ବଜନିକ ଭାବେ ଫାଶୀ ଦେବା ଦରକାର।

ଏନସିପି ନେତା ଆହୁରି ମଧ୍ୟ କହିଛନ୍ତି, ‘ଦ କେରଲା ଷ୍ଟୋରି’ ହେଉଛି ଏକ ମିଛ କାହାଣୀ। ଫିଲ୍ମରେ କେବଳ ୩ ମହିଳାଙ୍କ କାହାଣୀ ଥିବା ବେଳେ ଏହାକୁ ଚଲାଇବା ପାଇଁ ନିର୍ମାତା କହୁଛନ୍ତି ଫିଲ୍ମଟି ୩୨ ହଜାର ମହିଳାଙ୍କ କାହାଣୀ। ଏଥିରେ ମହିଳାମାନଙ୍କୁ ମୁର୍ଖ ବୋଲି ଦର୍ଶାଯାଇଥିବା କହିଛନ୍ତି ଏନସିପି ନେତା।

Share