Categories: ଜାତୀୟ

‘ଦି କେରଲା ଷ୍ଟୋରି’ ଭାଜପା ପ୍ରାୟୋଜିତ: ସିପିଆଇଏମ୍‌

କୋଝିକୋଡ୍‌/ନୂଆଦିଲ୍ଲୀ,୩ା୫: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ତଥା ଭିପୁଲ ଅମୃତଲାଲ ଶାହଙ୍କ ପ୍ରଯୋଜିତ ବିବାଦୀୟ ହିନ୍ଦୀ ଫିଲ୍ମ ‘ଦି କେରଲା ଷ୍ଟୋରି’ ଭାଜପା ପ୍ରାୟୋଜିତ। ଏହା କେରଳରେ ଲୋକଙ୍କୁ ବିଭାଜିତ କରି ପରସ୍ପର ମଧ୍ୟରେ ଶତ୍ରୁଭାବ ସୃଷ୍ଟି ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏଜେଣ୍ଡାର ଏକ ଅଂଶ ବୋଲି ମଙ୍ଗଳବାର ଶାସକ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ପକ୍ଷରୁ ସମାଲୋଚନା କରାଯାଇଛି। ସିପିଆଇଏମ୍‌ ରାଜ୍ୟ ସାଧାରଣ ସମ୍ପାଦକ ଏମ୍‌.ଭି. ଗୋବିନ୍ଦନ୍‌ କନ୍ନୁରରେ ଖବରଦାତାମାନଙ୍କୁ କହିଛନ୍ତି, ଫିଲ୍ମରେ କେରଳର ପ୍ରାୟ ୩୨,୦୦୦ ମହିଳା ନିଖୋଜ ହୋଇଯାଇଥିବା ଦର୍ଶାଯାଇଛି। ଭାଜପା ଏବଂ ସଂଘ ପରିବାର ପକ୍ଷରୁ ଏହି ସିନେମା ଜରିଆରେ ଲୋକଙ୍କ ମସ୍ତିଷ୍କରେ ବିଷ ପୂରାଇବାକୁ ଅପଚେଷ୍ଟା କରାଯାଇଛି। କେରଳବାସୀ ମିଳିମିଶି ଏହାକୁ ବିରୋଧ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ମଧ୍ୟ କେରଳ ଏବଂ ମୁସଲମାନ ସମ୍ପ୍ରଦାୟକୁ ବଦନାମ କରିବା ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଇଥିବା ଅଭିଯୋଗ ଆଣିଥିଲେ। ଇତିମଧ୍ୟରେ ଆସନ୍ତା ୫ରେ ମୁକ୍ତିଲାଭ କରିବାକୁ ଥିବା ‘ଦି କେରଲା ଷ୍ଟୋରି’ର ରିଲିଜ୍‌ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଧର୍ମାନ୍ତରୀକରଣ ଉପରେ ପର୍ଯ୍ୟବସିତ ଉକ୍ତ ଫିଲ୍ମରେ ‘ସବୁଠୁ ନିକୃଷ୍ଟତମ ଘୃଣା ମନ୍ତବ୍ୟ’ ରହିଥିବା ଏବଂ ଏହା ଏକ ‘ଅଡିଓ ଭିଜୁଆଲ ପ୍ରୋପାଗଣ୍ଡା’ ଦର୍ଶାଇ ଏକ ପିଟିଶନ ଦାଖଲ ହୋଇଥିଲା। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହି ଫିଲ୍ମକୁ ସେନ୍‌ସର ବୋର୍ଡ ସାର୍ଟିଫିକେଶନ୍‌ ମିଳିସାରିଛି। ତେଣୁ ଏହାର ସାର୍ଟିଫିକେଶନ୍‌କୁ ଉପଯୁକ୍ତ ଫୋରମ୍‌ରେ ଚ୍ୟାଲେଞ୍ଜ କରଯାଇପାରେ ବୋଲି ଆବେଦନକାରୀଙ୍କ ଓକିଲ କପିଲ ସିବଲଙ୍କୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।

Share