ଡଜୋମାର୍ଟ ଓଟୋର୍ବାଏଭ
ଆଫଗାନ୍ ସରକାରଙ୍କ ପତନ ଓ ତାଲିବାନ୍ କାବୁଲ ଦଖଲ କରିବା ପରେ ସେଠାରେ ନୀରବତା ଛାଇଯାଇଛି। ଅଧିକାଂଶ ଦୋକାନ ଓ ଶିଳ୍ପସଂସ୍ଥା ବନ୍ଦ ରହିଛି। ସାଧାରଣ ନାଗରିକମାନେ ଘରେ ଲୁଚି ରହିଛନ୍ତି। ଲୁଟେରାଙ୍କ କବଳରୁ ସହରକୁ ରକ୍ଷା କରିବା ପାଇଁ ତାଲିବାନ୍ ପୋଲିସ ଭଳି କାମ କରୁଛି। ଏହି ନୀରବ ମୁହୂର୍ତ୍ତରେ ଆଫଗାନ୍ମାନେ ଏକ ନୂଆ ଦେଶରେ ରହିଥିବାର ଅନୁଭବ କରୁଛନ୍ତି। ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ସପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୁକ୍ତି ଦର୍ଶାଇ କହିଛନ୍ତି, ଆମେରିକୀୟ ଅଧିକାରୀମାନେ ଯାହା ଆଶା କରିଥିଲେ ତା’ଠାରୁ ବହୁ ଶୀଘ୍ର ଏହି ଘଟଣା ଘଟିଗଲା। ବାଇଡେନ୍ଙ୍କ ମତରେ, ଏହା କେବଳ ରାଷ୍ଟ୍ରପତି ଅଶ୍ରଫ ଗନିଙ୍କ ସମେତ ଆଫଗାନିସ୍ତାନ ରାଜନେତାଙ୍କ ଯୋଗୁ ଘଟିଲା। ସେମାନେ ତାଲିବାନ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା ନ କରି ଦେଶ ଛାଡି ଚାଲିଗଲେ। ଏହା ଯୋଗୁ ଆଫଗାନ୍ ସେନା ସମ୍ପୂର୍ଣ୍ଣ ଦୁର୍ବଳ ହୋଇଗଲା ଓ ତାଲିବାନ୍ ସହ ଲଢେଇ କରିବାକୁ ଚାହଁିଲା ନାହିଁ। ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ପ୍ରତିରକ୍ଷାମନ୍ତ୍ରୀ ତଥା ସେନାଧ୍ୟକ୍ଷ ବିସ୍ମିଲ୍ଲା ଖାନ ମହମ୍ମଦି ଟୁଇଟ୍ କରି ଜଣାଇଛନ୍ତି, ଗନି ଓ ତାଙ୍କ ଗୋଷ୍ଠୀ ଆମ ହାତ ପଛରୁ ବାନ୍ଧିଦେଇ ଦେଶକୁ ବିକ୍ରି କରିଦେଲେ।
ଗତ ସପ୍ତାହରେ କାବୁଲରେ କ୍ଷମତା ପରିସରରେ ଯାହା ଘଟିଗଲା ତାହାଯୋଗୁ ଆଫଗାନିସ୍ତାନ ତାଲିବାନ୍ ହାତକୁ ଆସିଲା। କିନ୍ତୁ କିଏ ସେହି ତାଲିବାନ୍, ଯାହାପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ୨ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି। ତାଲିବାନ୍ ଗୋଷ୍ଠୀଗୁଡ଼ିକ ସଂଗଠିତ ଫୋର୍ସ ନୁହନ୍ତି। ଭିନ୍ନ ଭିନ୍ନ ଗୋଷ୍ଠୀ ଏକାଠି ହୋଇ ସ୍ବାର୍ଥ ପାଇଁ ଲଢ଼ୁଛନ୍ତି। ତାଲିବାନ୍ ପଲିଟିକାଲ ଓ୍ବିଙ୍ଗର ନେତୃବର୍ଗ, ପ୍ରଭାବଶାଳୀ ମୌଲବୀ ଏବଂ କ୍ଷେତ୍ର ବିଶେଷରେ ଅନେକ ସେନାପ୍ରମୁଖଙ୍କ ମଧ୍ୟରେ ତୀବ୍ର ମତଭେଦ ରହିଛି। ତେବେ କୁହାଯାଇପାରେ, ତାଲିବାନ୍ ଯେଉଁ ବିଷୟ ଉପରେ ଗୁରୁତ୍ୱ ଦେବ ତାହା ହିଁ ତା’ ଭବିଷ୍ୟତ ନିର୍ଦ୍ଧାରଣ କରିବ। ସେଥିପାଇଁ ତାଲିବାନ୍ ଅଧିକ ଉଦାରବାଦୀ ନେତାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମର୍ଥନ କରିବାକୁ ପଡ଼ିବ। ଏବେ କିଛି ଖବର ଭଲ ସଙ୍କେତ ସାମ୍ନାକୁ ଆସିଛି। ସଦ୍ୟ ସୂଚନା ମୁତାବକ, ତାଲିବାନ୍ ସହ ପ୍ରତିଷ୍ଠାତା ତଥା ରାଜନୈତିକ ମୁଖ୍ୟ ମୁଲ୍ଲା ଅବଦୁଲ୍ ଗନି ବରାଦର ଆଫଗାନିସ୍ତାନର ନୂଆ ନେତା ହେବେ । ସେ ନିଜକୁ ଜଣେ ଯଥାର୍ଥବାଦୀ, ଅନୁଭବୀ ତଥା ବିଚାରଶୀଳ ନେତା ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ପ୍ରଭାବଶାଳୀ ତାଲିବାନ୍ ଗୋଷ୍ଠୀଗୁଡ଼ିକୁ ଏକାଠି କରି ଅନ୍ତର୍ଜାତୀୟ ନେତାମାନଙ୍କ ସହ ବୁଝାମଣା କରିବାର ଦକ୍ଷତା ତାଙ୍କର ରହିଛି। ଏହାବ୍ୟତୀତ ତାଲିବାନ୍ ନେତାମାନେ ଏକ ସମ୍ମିଳିତ ଇସ୍ଲାମିକ ସରକାର ଗଠନ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ତାଲିବାନ୍ ମୁଖପାତ୍ର ସୁହେଲ ଶାହିନଙ୍କ ଅନୁଯାୟୀ, ସରକାରରେ ଅଣ-ତାଲିବାନ୍ ଆଫଗାନ୍ଙ୍କ ସମେତ କେତେଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସାମିଲ କରାଯିବ। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ହମିଦ କାର୍ଜାଇ ରହିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ କାର୍ଜାଇ ଏକ ସମନ୍ବୟ ପରିଷଦ ଗଠନ କରିଛନ୍ତି। ତାଲିବାନ୍ ନେତୃବର୍ଗଙ୍କୁ ସାକ୍ଷାତ କରିବା ଲାଗି ପରିଷଦ ଏବେ ଦୋହାରେ ଅଛି। ତାଲିବାନ୍ ନେତାମାନଙ୍କ ମଧ୍ୟରେ ରହିଛନ୍ତି ଆଫଗାନିସ୍ତାନ ହାଇ କାଉନସିଲ୍ ଫର୍ ନ୍ୟାଶନାଲ ରିକନ୍ସିିଲେସନର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲ୍ବୁଦ୍ଦିନ ହେକ୍ମତେୟାର। ଆଶ୍ଚର୍ଯ୍ୟର ବିଷୟ, ତାଲିବାନ୍ର ବହୁ କଠୋରପନ୍ଥୀ ଗୋଷ୍ଠୀ ଯେଉଁମାନେ ଅଲକାଏଦା କିମ୍ବା ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଭଳି ସନ୍ତ୍ରାସବାଦୀ ଗୋଷ୍ଠୀ ସହ ମିଶି ବିପଦ ବଢାଇବାର ଆଶଙ୍କା ରହିଛି, ସେମାନଙ୍କୁ ଉକ୍ତ ସରକାର ବାଦ୍ଦେବ ବୋଲି ଜଣାପଡ଼ିଛି। କିନ୍ତୁ ଆଫଗାନିସ୍ତାନକୁ ଗୋଟିଏ ଜାତି ବା ଧର୍ମର ଦେଶରେ ପରିବର୍ତ୍ତନ କରିବାକୁ ଯଦି ପ୍ରୟାସ କରାଯାଏ ତେବେ ପୁଣି ବିପଦ ମୁଣ୍ଡ ଟେକିବ। ଏହା ଯୋଗୁ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯିବ।
ସବୁ ବର୍ଗକୁ ନେଇ ଏକ ସରକାର ଗଠନ ପରେ ବି ତାଲିବାନ୍ ଏହାର ସେନା, ପୋଲିସକୁ ମଜଭୁତ କରିବା ସହ ଅବଶିଷ୍ଟ ବିଶ୍ୱ ସହ ତା’ର କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ପଡ଼ିବ। ତେବେ ସାମ୍ପ୍ରତିକ ପରିସ୍ଥିତିରେ ଚାଇନା ଓ ରୁଷିଆ ଖୁବ୍ଶୀଘ୍ର ଏହାର ବନ୍ଧୁ ହେବାର ସମ୍ଭାବନା ସୃଷ୍ଟି ହୋଇଛିି। ଆଫଗାନିସ୍ତାନରେ ରୁଷିଆର ରାଷ୍ଟ୍ରଦୂତ ଜମିର କବୁଲୋଭ୍ କହିଛନ୍ତି, ରୁଷିଆ ସରକାରଙ୍କର ତାଲିବାନ୍ ସହ ଉତ୍ତମ ସମ୍ପର୍କ ରହିଛି। ଏଥିପାଇଁ ଆଫଗାନିସ୍ତାନରେ କ’ଣ ଘଟୁଛି ତାହାକୁ ନେଇ ରୁଷିଆ ଆଦୌ ଚିନ୍ତିତ ନୁହେଁ। ନିକଟରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ଓ୍ବି ରୁଷିଆର ପ୍ରତିପକ୍ଷ ସର୍ଗେ ଲାଭ୍ରୋଭ୍ଙ୍କୁ ଫୋନ୍ରେ ଜଣାଛନ୍ତି ଯେ, ଆଫଗାନିସ୍ତାନରେ ଉଭୟେ ସେମାନଙ୍କ ନ୍ୟାୟସଙ୍ଗତ ସ୍ବାର୍ଥ ସୁରକ୍ଷା ପ୍ରତି ଦୃଷ୍ଟିଦେବା ସହ ପରସ୍ପରକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦେବା ଉଚିତ। ଏହାବାଦ୍ କେନ୍ଦ୍ର ଏସିଆର ପଡ଼ୋଶୀଦେଶଗୁଡ଼ିକୁ ଆଫଗାନିସ୍ତାନ ତା’ମିତ୍ର ଭାବେ ଗ୍ରହଣ କରିବାକୁ ମଧ୍ୟ ଚାହଁିପାରେ। ଆଫଗାନିସ୍ତାନର ଉଜ୍ବେକ ଏବଂ ତାଜିକ୍ ଜାତିର ନେତା ତଥା ସେନା କମାଣ୍ଡର ଅବଦୁଲ ରସିଦ୍ ଦସ୍ତମ ଏବଂ ଆଟ୍ଟା ମହମ୍ମଦ ନୁର୍ ଦେଶ ଛାଡ଼ି ଚାଲିଯାଇଛନ୍ତି। ସେମାନେ ତାଲିବାନ୍ ବିରୋଧରେ ଲଢେଇ କରି ଆସୁଥିଲେ। ତାଲିବାନ୍ ଏମାନଙ୍କୁ ସରକାରରେ ଗ୍ରହଣ କରି ନ ପାରନ୍ତି ବୋଲି ଅନେକ ସମାଲୋଚକଙ୍କ ମତ। କିନ୍ତୁ ମୋର ବିଶ୍ୱାସ, ସେମାନେ ଆଉ ଲଢ଼େଇ କରିବାକୁ ଚାହଁୁ ନାହାନ୍ତି ଓ ଉଭୟେ ଶୀଘ୍ର ଆଫଗାନିସ୍ତାନ ଫେରିବାର ଆଶା ରହିଛି।
କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡ଼ିକ ତାଲିବାନ୍ ସହ ସମ୍ପର୍କ ରକ୍ଷା କରିବାରେ ସତର୍କତା ଅବଲମ୍ବନ କରୁଥିତ୍ବା ଜଣାପଡ଼ୁଛି। ତେବେ ଆଫଗାନିସ୍ତାନ ପକ୍ଷରୁ କୌଣସି ବିପଦ ନାହିଁ ବୋଲି ବରାଦର କେନ୍ଦ୍ର ଏସୀୟ ଦେଶଗୁଡ଼ିକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଉଜ୍ବେକିସ୍ତାନ ଦ୍ୱାରା ଆରମ୍ଭ କରାଯାଇଥିବା ‘କାବୁଲ କରିଡର’ ରେଲଓ୍ବେକୁ ସ୍ବାଗତ କରିଛନ୍ତି। ଅବଶ୍ୟ, ଆମେରିକା ଛାଡି ଚାଲି ଯାଇଥିତ୍ଲେ ବି ‘ସମୃଦ୍ଧ କେନ୍ଦ୍ର ଏସିଆ’ ଲକ୍ଷ୍ୟ ଦେଶଗୁଡ଼ିକ ମଧ୍ୟରେ ଅଧିକ ମୁକ୍ତ ବାଣିଜ୍ୟ ଏବଂ ଭିତ୍ତିଭୂମି ବିକାଶ ଦ୍ୱାରା ଧୀରେ ଧୀରେ ହାସଲ କରାଯାଇପାରିବ । ଆମେରିକା ଓ ଏହାର ମିତ୍ର ଦେଶଗୁଡ଼ିକର ନୀତି ଦ୍ୱାରା ଆଫଗାନିସ୍ତାନର ଭବିଷ୍ୟତ ମଧ୍ୟ ଗଠନ ହେବ ବୋଲି ଆଶା କରାଯାଇପାରେ। କିନ୍ତୁ ଆଫଗାନିସ୍ତାନକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଥିବା ଆମେରିକା ଆଫଗାନ୍ ନାଗରିକଙ୍କ କଲ୍ୟାଣ ନିଶ୍ଚିତ କରିବାକୁ କେତେ ଦାୟିତ୍ୱବାନ ହେବ, ତାହା ହିଁ ପ୍ରଶ୍ନ ।
ଏବେ ବାଇଡେନ୍ ପ୍ରଶାସନ ପ୍ରକାଶ କରିଛି ଯେ, ଏକ ସମ୍ମିଳିତ ସରକାର ଚଳାଇବା ଓ ସନ୍ତ୍ରାସବାଦ ଦୂର କରିବାରେ ତାଲିବାନ୍ କିଭଳି ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ତାହା ଦେଖିବାକୁ ଅପେକ୍ଷା କରିଛି। କହିବାକୁ ଗଲେ ସାଧାରଣ ଆଫଗାନ୍ଙ୍କୁ ଆମେରିକା ଓ ଏହାର ମିତ୍ରରାଷ୍ଟ୍ରଗୁଡ଼ିକ ଅଧିକ ସାହାଯ୍ୟ କରିବା ଉଚିତ। କିନ୍ତୁ ପାଶ୍ଚତ୍ୟ ଦେଶଗୁଡ଼ିକ ପ୍ରତି ଲୋକମାନଙ୍କର ବିଶ୍ୱାସ କମିଯାଇଥିବାରୁ ସ୍ବାଧୀନ ଭାବେ ସେମାନେ ବିକାଶମୂଳକ ଅଭିଯାନ ଚଳାଇବାର ସମ୍ଭାବନା କମ୍ ରହିଛି। ଏଣୁ ଆଫଗାନିସ୍ତାନର ବିକାଶ ପାଇଁ ତା’ର ସବୁ ପଡ଼ୋଶୀ ଦେଶ ଓ ରୁଷିଆ ଏଥିରେ ଜଡିତ ହେବା ଦରକାର। ପ୍ରଥମ ପଦକ୍ଷେପ ସ୍ବରୂପ, ଆଫଗାନିସ୍ତାନ ଉପରେ ଆଗ୍ରହୀ ସମସ୍ତ ଦେଶକୁ ନେଇ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯିବା ଆବଶ୍ୟକ, ଯେଉଁଥିତ୍ରେ ମୁଖ୍ୟ ଭୂମିକାରେ ରହିବେ ରୁଷିଆ ଓ ଚାଇନା। ବିକାଶ ଲାଗି ଅନୁଦାନ ଦେବାକୁ ଇଚ୍ଛୁକ ଦେଶଗୁଡ଼ିକ ଜାତିସଂଘ ସୁରକ୍ଷା ପରିଷଦ ତତ୍ତ୍ୱାବଧାନରେ ଏକାଠି ହେବା ଉଚିତ ଓ ଜାତିସଂଘ ସିଷ୍ଟମ ଏବଂ ବିକାଶ ଲାଗି କାର୍ଯ୍ୟ କରୁଥିବା ବିଭିନ୍ନ ବ୍ୟାଙ୍କ ସହ ଜଡିତ ହେବା ଦରକାର। ସେମାନେ ଆଫଗାନିସ୍ତାନର ବିକାଶ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ମଧ୍ୟ ଗଠନ କରିବା ଆବଶ୍ୟକ। କୂଟନୈତିକ ସ୍ତରରେ କେହି ଏହାକୁ ପସନ୍ଦ କରନ୍ତୁ ବା ନ କରନ୍ତୁ, କେନ୍ଦ୍ର ଏସିଆରେ ପ୍ରଭାବ ବଜାୟ ରଖିଥିବା ରୁଷିଆ ହାତରେ ହିଁ ରହିଛି ଆଫଗାନିସ୍ତାନର ପୁନଃ ନିର୍ମାଣର ଚାବିକାଠି। ଯଦି ପାଶ୍ଚାତ୍ୟ ଦେଶଗୁଡ଼ିକ ଏହି ଧାରାକୁ ଗ୍ରହଣ କରନ୍ତେ, ତେବେ ରୁଷିଆ ସହ ସେମାନଙ୍କ ସମ୍ପର୍କ ମଧ୍ୟ ବୃଦ୍ଧି ପାଇପାରନ୍ତା।
ପୂର୍ବତନ ପ୍ରଧାନମନ୍ତ୍ରୀ, କିର୍ଜିଗିସ୍ତାନ