କୋରାପୁଟ,୮।୫(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ବର୍ଷ ହେବ ବୃଷ୍ଟିପାତରେ ଅନିୟମିତତା ଯୋଗୁ ଜିଲାର ମୁଖ୍ୟ ଜଳଭଣ୍ଡାର କୋଲାବରେ ଜଳସ୍ତର ହ୍ରାସ ପାଉଛି ା ବାଲି, ମାଟିରେ ପୋତି ହୋଇଯାଉଛି। କୋଲାବ ଜଳଭଣ୍ଡାର ଫଳରେ ଜିଲା ପାଇଁ ପାନୀୟ ଜଳ ସମସ୍ୟା ଦେଖାଯାଉଛି। ସମୟ ଥିଲା କୋରାପୁଟ ଜିଲାରେ ବର୍ଷକୁ ୬ ମାସ ବର୍ଷା ହେଉଥିଲା ା ମାତ୍ର ଗତ କିଛି ବର୍ଷ ଧରି ଏହାର ପରିମାଣ ଅପେକ୍ଷାକୃତ ଭାବେ ହ୍ରାସ ପାଉଛି ା ଏଥିଯୋଗୁ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି ା ଏପରି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ କୋରାପୁଟ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ସମସ୍ୟା ରୂପେ ଦେଖା ଦେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦୀର୍ଘ ୧୨୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ କୋଲାବ ଜଳଭଣ୍ଡାରରୁ ଜିଲାର ନାଲ୍କୋ ଓ ହାଲ ଭଳି ଶିଳ୍ପ ଅନୁଷ୍ଠାନ ପାଣି ନେଉଛନ୍ତି। ଜନସାଧାରଣଙ୍କୁ ମଧ୍ୟ ଏଥିରୁ ଜଳ ଯୋଗାଣ ହେଉଛି। ଫଳରେ କୋଲାବ ଜଳଭଣ୍ଡାର ଦିନକୁ ଦିନ ବାଲି ଓ ମାଟିରେ ପୋତି ହୋଇଯାଉଛି। କୋଲାବ ସମେତ ଏହି ଅଞ୍ଚଳରେ ଥିବା ଇନ୍ଦ୍ରାବତୀ, ବାଲିମେଳା ଓ ଜଲାପୁଟ ଜଳଭଣ୍ଡାର ପ୍ରତି ଆବଶ୍ୟକ ରକ୍ଷଣବେକ୍ଷଣ କରାଯାଉ ନ ଥିବାରୁ ଜଳଭଣ୍ଡାରଗୁଡିକରେ ପାହାଡରୁ ଧୋଇ ହୋଇ ଆସୁଥିବା ମାଟି ଅଧିକରୁ ଅଧିକ ମାତ୍ରାରେ ଭର୍ତ୍ତି ହେଉଛି ା ଫଳତଃ ଜଳଭଣ୍ଡାରଗୁଡିକର ଜଳଧାରଣ କ୍ଷମତା ଆଶାତୀତ ଭାବେ ହ୍ରାସ ପାଉଛି। ସୁନାବେଡାସ୍ଥିତ ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାର ଗବେଷକ ଜ୍ୟୋତିର୍ମୟୀ ଲେଙ୍କା ଏ ସମ୍ପର୍କରେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ କୋଲାବ ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ମୃର୍ତ୍ତିିକା ସଂରକ୍ଷଣ ସହିତ ବର୍ଷାକୁ ପ୍ରଭାବିତ କରିବା ଭଳି ଆବଶ୍ୟକ ବୃକ୍ଷରୋପଣ କରିବା ଦରକାର। କୋଲାବ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଶତ୍ରୁଘ୍ନ ମହାରଣା କୋଲାବ ଜଳଭଣ୍ଡାରରେ ମାଟି ଓ ବାଲି କମିଥିବା ସ୍ବୀକାର କରୁଥିଲେ ହେଁ ପରିସ୍ଥିତି ବିପଦ୍ଜନକ ନ ଥିବା ପ୍ରକାଶ କରିଛନ୍ତି। ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ,ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ କୋଲାବ ଜଳଭଣ୍ଡାରରୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ।