Categories: Uncategorized

ପ୍ରତିଷ୍ଠା ହେବ କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍‌-୧୯ ଲଢ଼େଇରେ ବହୁ ଯୋଦ୍ଧା ସାମିଲ୍‌ ହେବା ସହ ଅନେକ ପ୍ରାଣ ହରାଇଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ମନେ ରଖିବା ପାଇଁ ସ୍ମୃତିସ୍ତମ୍ଭ ନିର୍ମାଣ ହେବ। ରାଜ୍ୟ ସରକାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରିବା ପାଇଁ ସ୍ଥିର କରିଛନ୍ତି। ଖୁବ୍‌ଶୀଘ୍ର ସେଠାରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନୋଡାଲ ଡିପାର୍ଟମେଣ୍ଟ ଭାବେ ଘୋଷଣା କରାଯାଇଛି। ବିଭାଗ ଏହାର ଡିଜାଇନ ଓ ଷ୍ଟ୍ରକ୍ଚର କିପରି ହେବ ସେଥିପାଇଁ ଆର୍କିଟେକ୍ଟରଠାରୁ ଫାଇନାଲ କରିବା ସହ ଅଧିକୃତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବେ। ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ବଜେଟରୁ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବ। କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ ଅଗଷ୍ଟ ୧୫ରେ ଉଦ୍‌ଘାଟନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପୂର୍ତ୍ତ ବିଭାଗ କମିଶନର ତଥା ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତମାସ ୧୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା।