ଜଳୁଛି କୁଲଡ଼ିହା, ଦେବଗିରି

ନୀଳଗିରି/ସୋର, ୧୩।୩(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଓ ସୋର ତହସିଲ ଅଧୀନ ଦେବଗିରି ପାହାଡ଼ରେ ନିଆଁ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି ବନବିଭାଗ।
ଆଜକୁ ୩ଦିନ ହେବ ନିଆଁ ଲାଗି କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବ.ମି. ପରିବ୍ୟାପ୍ତ ଭିତରେ ଏକାଧିକ ସ୍ଥାନରେ ଏକର ଏକର ଜମିରେ ଥିବା ହଜାର ହଜାର ବୃକ୍ଷଲତା ପୋଡ଼ି ଛାରଖାର ହୋଇଯାଇଛି। ବନାଗ୍ନି ଯୋଗୁ ଔଷଧୀୟ ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜି ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସେମାନଙ୍କ ଜୀବନ ସଂକଟ ମଧ୍ୟକୁ ଠେଲି ହେଉଛି। ଅଭୟାରଣ୍ୟର ଅଶୋକନାଳ, ଦ୍ୱାରିକା, ରଙ୍ଗାମାଟିଆ ଆଦି ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ ପାଦଦେଶରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରେ ଥିବା ଜଙ୍ଗଲରୁ ଅନ୍ୟ ଏକ ପାହାଡ଼ର ଜଙ୍ଗଲକୁ ବ୍ୟାପୁଛି ନିଆଁ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ନିଅଁା ଲାଗିବା ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ପ୍ରତି ବିପଦ ବଢ଼ାଇଛି। ସରକାର ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ନିଆଁ ଲିଭାଇବାରେ ବନବିଭାଗ କେଉଁଠି ନା କେଉଁଠି ଫେଲ୍‌ ମାରିଛି। ସେହିପରି ଦେବଗିରି ପାହାଡ଼ ସଂରକ୍ଷିତ ଜଙ୍ଗଲରେ ହଜାର ହଜାର ସଂଖ୍ୟାର ମୂଲ୍ୟବାନ ଗଛ ପୋଡ଼ିଜଳି ପାଉଁଶ ହେଇଯାଇଛି। ଜୀବଜନ୍ତୁ ଏବେ ଭୟଭୀତ ହୋଇ ପାହଳତଳି ଗଁା ମୁହଁା ହୋଇଛନ୍ତି। ଲଗାତର ଜଳୁଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ କୌଣସି ଉଦ୍ୟମ ହେଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସୋର ବ୍ଲକ ମାଣିପୁର, ଗୋପୀନାଥପୁର ଏବଂ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନିକଟବର୍ତ୍ତୀ ଏଲିଫ୍ୟାଣ୍ଟ ସେଞ୍ଚରୀ ସଂରକ୍ଷିତ ଜଙ୍ଗଲରେ କୌଣସି କାରଣରୁ ବାରମ୍ବାର ଅଗ୍ନିକାଣ୍ଡ ଘଟିଚାଲିଥିବା ବେଳେ ବର୍ତ୍ତମାନ ଏହା ମାଇଲ ମାଇଲ ଧରି ସାଂଘାତିକ ରୂପ ଧାରଣ କରିଛି। ନିଆଁର ଲେଲିହାନ ଶିଖା ଉଜ୍ଜ୍ୱଳ ଆଲୋକ ସଦୃଶ ମାଇଲ ମାଇଲ ଦୂରକୁ ଦୃଶ୍ୟମାନ ହେଉଥିବା ବେଳେ ଏହାର ଗରମ ଧାସ ଗ୍ରାମଆଡ଼କୁ ପ୍ରବାହିତ ହେଉଥିବା ଦେଖାଯାଇଛି। ଏହି ପାହାଡ଼ ଜଙ୍ଗଲରେ ବାସକରୁଥିବା ଜୀବଜନ୍ତୁ ବାହାରି ନ ପାରି ଅନେକଙ୍କ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ କେତେ ସ୍ଥାନରେ ଭାଲୁ ଏବଂ ବାର୍‌ହା ଗାଁ ଆଡ଼କୁ ପଳାଇ ଆସୁଥିବା ଲୋକେ ଦେଖିବାକୁ ପାଉଥିବା କହିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଏବଂ ଜଙ୍ଗଲ ସୁରକ୍ଷା କମିଟି ତରଫରୁ କୌଣସି ଉଦ୍ୟମ ହେଉ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ବନ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଧ୍ୱଂସ ପାଇଯିବ ବନ୍ୟ ସମ୍ପଦ।