ରୋଜଗାରିଆ ପୁଅ ଅଜଣା ରୋଗରେ ପୀଡ଼ିତ

ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ସ୍ବାମୀ ଆରପାରିକୁ ଚାଲିଯିବା ପରେ ଘରର ଏକ ମାତ୍ର ପୁଅର ରୋଜଗାରରେ ଚଳୁଥିଲା ପରିବାର । ହେଲେ ସେହି ରୋଜଗାରିଆ ପୁଅ ଆଜି ଅଜଣା ରୋଗରେ ପୀଡ଼ିତ ହୋଇ ଛଟପଟ ହେଉଛନ୍ତି। ରୋଜଗାର ବିନା ଅଭାବ ଅନାଟନ ଭିତରେ ପରିବାରର ୪ ପ୍ରାଣୀ କୁଟୁମ୍ବ ଚଳୁଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଗୁଡୁପାଙ୍ଗି ଗ୍ରାମରେ ।
ଗୁଡୁପାଙ୍ଗି ଗ୍ରାମର ହଜାରୀ ନାୟକଙ୍କ ପରିବାର କହିଲେ ସ୍ତ୍ରୀ, ପୁଅ ବୋହୂ ଓ ୩ ବର୍ଷର ନାତି । ପୁଅ ଗୋଦାବରୀ(୩୦)କୁ ବାହାଘର କରିବାର ୧ ବର୍ଷ ପରେ ହଜାରୀ ଆରପାରିକୁ ଚାଲି ଯାଇଥିଲେ। ବାପାଙ୍କ ମୃତ୍ୟୁ ପରେ ଗୋଦାବରୀ କେରଳରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ । ପରିବାର ହସଖୁସିରେ ଚଳିବା ସହ ଗୋଦାବରୀ ଗୋଟିଏ ପୁଅର ବାପା ହୋଇଥିଲେ । ଏହି ଖୁସି ବେଶୀଦିନ ରହିଲା ନାହିଁ ା । କେରଳରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୋଦାବରୀ ଅସୁସ୍ଥ ଅନୁଭବ କଲେ। ଧୀରେ ଧୀରେ ଶରୀରର ସବୁ ଅଙ୍ଗ ଶୁଖିବାକୁ ଲାଗିଲା । କାମ ନ କରି ପାରି ଘରକୁ ଫେରି ଆସିଥିଲେ ଗୋଦାବରୀ। ଏପରି ରୋଗର ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ସେବନ କଲେ। ହେଲେ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନ ହେବାରୁ ପରେ ଭୁବନେଶ୍ୱର , କଟକ ଆଦି ବଡ଼ ମେଡିକାଲକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । କିନ୍ତୁ ଡାକ୍ତରମାନେ ରୋଗକୁ ଚିହ୍ନଟ କରି ପାରିଲେ ନାହିଁ । ଜମିବାଡ଼ି ବିକ୍ରୀ କରି ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ହେଲେ ରୋଗ ଚିହ୍ନଟ ହୋଇ ପାରିଲାନି । ଶେଷରେ ନିରାଶ ହୋଇ ଭଗବାନଙ୍କ ଭରସାରେ ଘରେ ପଡି ରହିଛନ୍ତି ଗୋଦାବରୀ । ଶେଜରୁ ଉଠିବାକୁ ଅକ୍ଷମ ଗୋଦାବରୀଙ୍କୁ ଟେକି କି ନେବା ଆଣିବା କରିବାକୁ ପଡୁଛି। ଘର ଚଳିବା ପାଇଁ ପାଖରେ ଟଙ୍କାଟିଏ ନାହିଁ। ସରକାରୀ ସହାୟତା କହିଲେ କେବଳ ଗୋଦାବରୀଙ୍କ ଭିନ୍ନକ୍ଷମ ଭତ୍ତା ବାବଦରେ ୭୦୦ ଟଙ୍କା ମିଳୁଛି ା ସେହି ଟଙ୍କାରେ ଚାଉଳ, ରାଶନ ସାମଗ୍ରୀ, ବିଦ୍ୟୁତ୍‌ ବିଲ୍‌ ପୈଠ ସହିତ ୩ ବର୍ଷ ପୁଅ, ବୁଢୀ ମାଆ ଓ ସ୍ତ୍ରୀର ସମସ୍ତ ଖର୍ଚ୍ଚ ତୁଲାଇବାକୁ ପଡୁଛି । ଏଭଳି ପରିସ୍ଥିତିରେ ପରିବାର ଚଳାଇବା ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି ଗୋଦାବରୀଙ୍କ ସ୍ତ୍ରୀ ବୀଣାପାଣି । ଆମ ପରିବାର ପାଇଁ ସରକାରଙ୍କ ଖାଦ୍ୟ ଯୋଜନାରେ ଅନ୍ତୋଦୟ କାର୍ଡଟିଏ କରିଦେଲେ ଆମେ ମୁଠାଏ ଖାଇବାକୁ ପାଆନ୍ତୁ ବୋଲି କହିଛନ୍ତି ଗୋଦାବରୀଙ୍କ ମାଆ ଇନ୍ଦୁ ନାୟକ । ଏପରି ପରିସ୍ଥିତିରେ ସରକାରୀ କିମ୍ବା ବେସରକାରୀସ୍ତରରେ ଗୋଦାବରୀଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।