Categories: ଜାତୀୟ

ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର

ସତାରା,୨୮ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଜାତୀୟ ସୁରକ୍ଷାକୁ ନେଇ ରାଜନୀତି କରା ନ ଯିବା ଉଚିତ ବୋଲି ପ୍ରକାଶ କରିଛନ୍ତି। ୧୯୬୨ ଯୁଦ୍ଧ ପରେ ଚାଇନା ଭାରତୀୟ ଭୂଖଣ୍ଡର ୪୫ ହଜାର ସ୍କୋୟାର କି.ମି. ମାଡ଼ିବସିଥିବା କଥାକୁ କେହି ଭୁଲିଯିବା ଅନୁଚିତ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଗଲଓ୍ବାନ ଉପତ୍ୟକାରେ ଦେଖାଦେଇଥିବା ଘଟଣାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିଫଳତା ବୋଲି କହିବା ଠିକ୍‌ ନୁହେଁ। କାରଣ ଭାରତୀୟ ସେନା ପାଟ୍ରୋଲିଂ ସହ ସତର୍କ ରହିଥିଲେ। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଯୋଗାଯୋଗ ଲାଗି ଭାରତ ଗଲଓ୍ବାନରେ ନିର୍ମାଣ କରିଥିବା ରାସ୍ତାକୁ ଚାଇନା ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ ଯବାନ ସେମାନଙ୍କୁ ଧକ୍କାମାରି ପଛକୁ ପେଲି ଦେଇଥିଲେ। ଏହାକୁ ବିଫଳତା କହିବା ଠିକ୍‌ ନୁହେଁ ବୋଲି ଶରଦ ମତ ଦେଇଛନ୍ତି।

Share