ନିଲାମ ହେଲା ୬୬ କିଲୋ ଲଡୁ

ଜଟଣୀ,୨୮।୯(ରବୀନ୍ଦ୍ରନାଥ ମହାକୁଡ଼)ଗଣେଶ ମହୋତ୍ସବର ୯ମ ଦିନରେ ପ୍ରତି ବର୍ଷ ଭଳି ଗୋପବନ୍ଧୁ ଛକ ବ୍ୟବସାୟୀ ସଂଘ ପକ୍ଷରୁ ୬୬ କିଲୋ ଲଡ଼ୁ ନିଲାମ କରାଯାଇଛି। ବ୍ୟବସାୟୀ ସଂଘ ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲଡୁ ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଲଡ଼ୁ ନିଲାମ ଡାକ ୧୦୧ ଟଙ୍କାରୁ ଆରମ୍ବ ହୋଇଥିଲା ବେଳେ ଶେଷରେ ଜଟଣୀ ଅଞ୍ଚଳର ବ୍ୟବସାୟୀ ରମେଶ ସାହୁ ୪୦୦୦୧ ଟଙ୍କାରେ ନିଲାମ ଡାକି ଉକ୍ତ ଲଡୁର ହକଦାର ହୋଇଥିଲେ। ଏହି ନିଲାମ ପ୍ରକ୍ରିୟାରେ ବିଭିନ୍ନ ଅଞ୍ଚଳରୁ ଆସିଥୁବା ଶ୍ରଦ୍ଧାଳୁଙ୍କ ସହିତ ସ୍ଥାନୀୟ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ ଉଦଘାଟକ ରୂପେ ଯୋଗଦେଇଥିଲେ। ଅନ୍ୟ ବରେଣ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ଛୋଟରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ରୂପେ ନୋଟାରୀ ଅବନୀ କୁମାର ରାଉତରାୟ ମଞ୍ଚାସୀନ ଥିଲେ। ସମ୍ମାନିତ ଅତିଥି ରୂପେ ବରିଷ୍ଠ ନେତା ତଥା ପାଣ୍ଡ ଜେନା ଫାଉଣ୍ଡେସନ ଅଧ୍ୟକ୍ଷ ଡ. ସନ୍ତୋଷ ଜେନା, ପଦନପୁରର ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ସୁକାନ୍ତ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ପୂଜା ପାଉଥିବା ଲଡ଼ୁ ନିଲାମ ପ୍ରକ୍ରିୟା ଦେଖିବା ପାଇଁ ମଣ୍ଡପ ସମ୍ମୁଖରେ ପ୍ରବଳ ଜନସମାଗମ ହୋଇଥିଲା। ରଶ୍ମିତା ନାୟକ ଏବଂ ସୁଶାନ୍ତ ରାଉତ ମଞ୍ଚ ପରିଚାଳନା କରିଥିଲେ।