ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଥିବାବେଳେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଲାମ୍ବଡା ଓ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ତୃତୀୟ ଲହରର କାରଣ ହୋଇପାରେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର। ସେ କହିଛନ୍ତି, ଲାମ୍ବଡା ଭାରିଆଣ୍ଟ ନେଇ ବର୍ତ୍ତମାନ ସ୍ଥିତିରେ ବିସ୍ତୃତ ଅନୁଧ୍ୟାନ ହୋଇନାହିଁ। ଲାମ୍ବଡା ବ୍ରିଟେନରେ ଦେଖାଯାଇଛି। ଯେହେତୁ ବର୍ତ୍ତମାନ ବ୍ରିଟେନରେ ଏହା ଦେଖାଗଲାଣି, ଆଉ ବ୍ରିଟେନରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି, ତେଣୁ ଏହା ଉପରେ ସତର୍କ ଦୃଷ୍ଟି ଦେବା ଆବଶ୍ୟକ। ଅନ୍ୟପଟେ ଲୋକଙ୍କ ବେପରୁଆ ଚାଲିଚଳନ ତୃତୀୟ ଲହରକୁ ଶୀଘ୍ର ଆଣିବ ବୋଲି ମଧ୍ୟ କୁହାଯାଉଛି। ତେଣୁ କୋଭିଡ୍ ଗାଇଡ୍ଲାଇନ୍ କଡ଼ାକଡ଼ି ଭାବେ ଅନୁପାଳନ କରିବାର ଆବଶ୍ୟକତା ରହିଥିବା ଡା. ମିଶ୍ର କହିଛନ୍ତି।