ବାରଙ୍ଗ,୧୨ା୧୧(ଲିଙ୍ଗରାଜ ରାଉତ): ଆଜି ଦୀପାବଳିରେ ଏକ ଅଘଟଣ ଘଟିଛି। ପୁଅକୁ ବଞ୍ଚାଇବା ପାଇଁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ବାପା। ଏଭଳି ଘଟଣା ଘଟିଛି ବାରଙ୍ଗ ବ୍ଲକ ନରାଜ କୈବର୍ତ୍ତ ସାହି ନିକଟସ୍ଥ କାଠଯୋଡ଼ି ନଦୀରେ। ମୃତକ ଜଣକ ହେଉଛନ୍ତି ନରାଜ କୈବର୍ତ୍ତ ସାହିର ସରୋଜ କୁମାର ସାହୁ(୪୭)।
ସୂଚନାନୁଯାୟୀ, ରବିବାର ସକାଳେ ତାଙ୍କର ୮ବର୍ଷ ଓ ୧୨ବର୍ଷର ଦୁଇ ପୁତ୍ରଙ୍କୁ ନେଇ କାଠଯୋଡ଼ି ନଦୀକୁ ସରୋଜ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଇବା ସମୟରେ ୮ବର୍ଷର ସାନ ପୁଅର ଗୋଡ଼ ଖସିଯିବାରୁ ପାଣି ମଧ୍ୟକୁ ଚାଲି ଆସିଥିଲେ। ସଙ୍ଗେ ସଙ୍ଗେ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ସୁଦ୍ଧା ନିଜେ ସରୋଜ ପାଣିର ସ୍ରୋତରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏ ସଂକ୍ରାନ୍ତରେ ବାରଙ୍ଗରେ ସରୋଜଙ୍କ ଭାଇ ଏକ ଲିଖିତ ଅଭିଯୋଗ କରିବା ପରେ ଗୋଡ଼ିସାହି ଫାଣ୍ଡି ପୋଲିସ ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।