କେନାଲ ପାର୍ଶ୍ୱ ଜମିରେ ତଳିରୁଆ, ଢିପ ଶୁଖିଲା

ମହାକାଳପଡ଼ା, ୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୌସୁମୀ ବର୍ଷା ନାଁ ଧରୁନି। ଜଳ ଅଭାବ ଯୋଗୁ ଚାଷ ଜମି ପଡ଼ିଆ ପଡ଼ିଛି। ପଡ଼ିଆ ଜମିରେ ଗୋରୁ ଚରୁଛନ୍ତି। ଆଉ କେଉଁଠି ଖାଲ ଓ କେନାଲ ପାର୍ଶ୍ୱ ଚାଷ ଜମିରେ ପାଣି ମୁନ୍ଦେ ଥିବାରୁ ଚାଷୀମାନେ ହଳ କରି ରୁଆ କାମ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ପାର୍ଶ୍ୱ କେତେକ ଜମିରେ ପାଣି ପ୍ରବେଶ କରିବାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯେଉଁଠି କେନାଲ ଜଳ ଯିବାରେ ସୁବିଧା ନାହିଁ ଉକ୍ତ ଚାଷ ଜମି ପଡ଼ିଆ ପଡ଼ିଛି। ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ ସମ୍ପନ୍ନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ଚାଷୀମାନଙ୍କ ମଧ୍ୟରେ ନାଥ କୁମାର ଭୋଳ, ଅଲେଖ ପ୍ରଧାନ, କୁଳମଣି ସ୍ବାଇଁ, ସଦାଶିବ ରାଉତ, ବାବାଜୀ ବେହେରା ପ୍ରମୁଖ କହିଛନ୍ତି।
ସୂଚନାଯୋଗ୍ୟ, ବ୍ଲକରେ ମୋଟ୍‌ ୨୮ ହଜାର ହେକ୍ଟରରୁ ଅଧିକ ଚାଷଜମି ରହିଛି। ସେଥିମଧ୍ୟରୁ ୭ ହଜାର ହେକ୍ଟର ଜଳସେଚନ ଜମି ରହିଛି। ନଦୀ ନାଳ ଘେରା ଅଞ୍ଚଳରେ ସବୁ ଅଞ୍ଚଳରେ କେନାଲ ଜଳ ପହଞ୍ଚତ୍ ପାରୁନାହିଁ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି। ଅପରପକ୍ଷରେ ନଦୀ ପାର ହୋଇଥିବା ଜମ୍ବୁ ,ବତୀଘର, ଖରିନାସି, ସୁନିତି, ନାଞ୍ଜୁରା, କେବି ଦାଣ୍ଡୁଆ ସମେତ ଅନେକ ପଞ୍ଚାୟତରେ କେନାଲ ଜଳ ସୁବିଧା ନାହିଁ। ତେବେ ଏହି ପଞ୍ଚାୟତର ଚାଷ ଜମିଗୁଡ଼ିକ ବର୍ଷା ଜଳ ଓ ନଦୀ ଜଳ ଉପରେ ନିର୍ଭର କରିଥାନ୍ତି। ସମୁଦ୍ର ପାଖ ନଦୀଜଳ ଲୁଣିଆ ଥିବାରୁ ଏହି ପଞ୍ଚାୟତ ଚାଷୀମାନେ ଚାଷ କାର୍ଯ୍ୟ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବୋଲି ସାମାଜିକ କର୍ମୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି।

Share