ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି

ଡାବୁଗାଁ,୧୪।୮ (ପ୍ରଜ୍ଞା ରଞ୍ଜନ ପରିଡା): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ଏବେ ଧାନ ରୁଆ ବେଉଷଣ ପରେ ବର୍ଷା ଉଭାନ ହୋଇଯାଇଛି। ସେପଟେ ପାଣି ଅଭାବରୁ ଧାନ ଜମି ଫାଟି ଆଁ କଲାଣି। ଅନ୍ୟପକ୍ଷେ ଜିଲାରେ ଜଳସେଚନ ସୁବିଧା ନ ଥିବାବେଳେ ଉଠା ଜଳସେଚ ପଏଣ୍ଟ ଏକମାତ୍ର ଭରଷା। ତେବେ ଡାବୁଗାଁ ବ୍ଲକ ସନ୍ଧିଡଙ୍ଗରିଗୁଡାଠାରେ ଉଠାଜଳସେଚ ପ୍ରକଳ୍ପ ୭ ବର୍ଷ ହେବ କାମ କରୁ ନାହିଁ। ଏବେ ୧ ଶହ କର ଜମିରେ ହୋଇଥିବା ଚାଷ କିଭଳି ସୁରକ୍ଷିତ ରହିବ ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ।
ଡାବୁଗାଁ ବ୍ଲକ ସନ୍ଧିଡଙ୍ଗରିଗୁଡା ଅଙ୍ଗୀ ନଦୀ କୂଳରେ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରି କରର୍ପୋରେସନ ଲିମିଟେଡ ପକ୍ଷରୁ ୨୦୧୫-୧୬ ଆର୍ଥତ୍କ ବର୍ଷରେ ଉଠାଜଳ ସେଚ ପ୍ରକଳ୍ପ ସ୍ଥାପନ କରାଯାଇଛି। ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ଶହେ ଏକର ଜମି ଜଳସେଚିତ ହେବ ବୋଲି ଳକ୍ଷ ଧାର୍ଯ୍ୟ ଥିଲା। ପ୍ରକଳ୍ପକୁ ନେଇ ଚାଷୀମାନେ ବହୁ ଆଶା ବାନ୍ଧିଥିଲେ। ହେଲେ ଗତ ୭ ବର୍ଷ ହେବ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ା ଟ୍ରାନ୍ସଫର୍ମର ଲାଗିବା ସହ ପାଇପ ବିଛାଯାଇଛି।କେବଳ ପାଣି ଉଠାଇବା ପାଇଁ ୭ ବର୍ଷ ହେଲା ମଟର ଲାଗିପାରୁ ନାହିଁ। ଫଳରେ ଉଠାଜଳସେଚ ପଏଣ୍ଟରୁ ଆଜି ପର୍ଯ୍ୟନ୍ତ ଟୋପାଏ ପାଣି ଚାଷୀ ପାଇପାରୁ ନାହାନ୍ତି। ଚାଷୀ ନିଜ ଖର୍ଚ୍ଚରେ ପାଣି ମଟର କିଣି ଓ ଭଡାରେ ଆଣି ନଦୀରୁ ପାଣି ଉଠାଇ ଜମିରେ ମଡାଉଛନ୍ତି ବୋଲି ସଦା ମାଝୀ, ବଳିରାମ ଭତରା, କୃଷ୍ଣ ପୂଜାରୀ କହିଛନ୍ତି। ଏହି ସମସ୍ୟା ନେଇ ଡାବୁଗାଁ ବ୍ଲକ୍‌ସ୍ତରୀୟ ଅଭିଯୋଗ ଶିବିରରେ ଗତ ମେ ୮ ତାରିଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ତଥାପି ଏହିି ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେବ ସେ ନେଇ କାହାର ନିଘା ନାହିଁ ବୋଲି ରଘୁନାଥ ଭତରା, ପିତାମ୍ବର ଭତରା, ଲେବ ପୂଜାରୀ, ଫୁଲସିଂ ମାଝ. ସମଦୁ ମାଝୀ, ତିଲୋ ଭତରା କହିଛନ୍ତି।

Share