ଜମି ଫାଟି ଆଁ, ଚିନ୍ତାରେ ଚାଷୀ

ଚମ୍ପୁଆ, ୧୬ା୯ (ଡି.ଏନ୍‌.ଏ):ଚମ୍ପୁଆ ଅଞ୍ଚଳରେ ଚାଷୀ ଲଘୁଚାପ ବର୍ଷାକୁ ଭରସା କରି ବସିଥିବା ବେଳେ ସେମାନଙ୍କୁ ଧୋକାଦେଇଛି ବର୍ଷା। ସ୍ବଳ ବୃଷ୍ଟିପାତ ଯୋଗୁ ଅଞ୍ଚଳରେ ଚାଷ ଜମି ଏବେ ଫାଟି ଆଁ କଲାଣି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଲଘୁଚାପ ବର୍ଷା ସ୍ବାଭାବିକ ନ ହେବା ଫଳରେ ତଳି ରୁଆ ଜମିଗୁଡିକ ଫାଟି ଗଲାଣି। ଚାଷୀ ଶହ ଶହ ଟଙ୍କା ଖର୍ଚ୍ଚ କରି ନିଜ ଜମିରେ ତଳି ପକାଇଥିଲେ ମଧ୍ୟ ବର୍ଷା ବିଳମ୍ବରେ ହେବାରୁ ଧାନ ରୁଆ ମଧ୍ୟ ବିଳମ୍ବିତ ହୋଇଥିଲା। ମାତ୍ର କିଛି ଦିନ ବ୍ୟବଧାନରେ ବର୍ଷା ଉଭାନ ହୋଇଯାଇଥିବାରୁ ଜମିଗୁଡିକ ଫାଟିବା ଆରମ୍ଭ ହୋଇଗଲାଣି। ଦୁଇ ତିନି ଦିନ ତଳେ ସୃଷ୍ଟ ଲଘୁଚାପ ବର୍ଷା ଚମ୍ପୁଆ ଅଞ୍ଚଳରେ ଆବଶ୍ୟକ ପରିମାଣରେ ହୋଇ ନ ଥିବା ବେଳେ ଫଟା ଜମିକୁ ନେଇ ଚାଷୀର ଚିନ୍ତା ବଢି ଚାଲିଛି। ଚାଷୀମାନେ ନିଜ ଚାଷକୁ ବଞ୍ଚାଇବାକୁ ଯାଇ କୂଅ, ପୋଖରୀ ଓ ଜଳାଶୟ ଉପରେ ନିର୍ଭର କରିବା ଆରମ୍ଭ କରିଦେଲେଣି। କେନ୍ଦ୍ରୀୟ ଜଳ ଆୟୋଗ ଚମ୍ପୁଆ ବିଭାଗ ସୂଚନା ଅନୁସାରେ ଗତ ୨୦୨୧ ମସିହା ଜୁନ ମାସଠାରୁ ସେପ୍ଟେମ୍ବର ମଧ୍ୟରେ ୯୪୫.୬ ମିଲି ମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୨୧.୮ ମିଲି ମିଟର ବର୍ଷା ହୋଇଥିଲା। ଆଗକୁ ଥିବା ଲଘୁଚାପ ବର୍ଷା ଯଦି ଆବଶ୍ୟକ ପରିମାଣରେ ନ ହୁଏ ତେବେ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହେବ ବୋଲି ସୂଚନା ଦେଇଛନ୍ତି।

Share