ଜମି ଫାଟି ଆଁ, ଚାଷ କାର୍ଯ୍ୟ ପଛୁଆ

ଗୋପବନ୍ଧୁ ନଗର,୧୪।୭(ଶାନ୍ତନୁ କୁମାର ମଢୁଆଳ): ଜୁନ ସରି ଜୁଲାଇ ଅଧା ହେଲାଣି। ଅର୍ଥାତା ଆଷାଢ଼ ସରି ଶ୍ରାବଣ ଚାଲିଥିବା ବେଳେ ଆବଶ୍ୟକ ବର୍ଷା ହୋଇନାହିଁ। ପ୍ରତିବର୍ଷ ପହିଲି ଆଷାଢ଼ ବର୍ଷାରେ ଚାଷୀ ତଳିପକା କାର୍ଯ୍ୟ ଆରମ୍ଭ କରିଥାଏ। ଜୁଲାଇ ପ୍ରଥମ ସପ୍ତାହ ବେଳକୁ ରୁଆ ପୋତା କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ। ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ୪୫୦ ମିଲି ମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ଏ ବର୍ଷ ୧୦ ପ୍ରତିଶତ ବି ବର୍ଷା ହୋଇ ନ ଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବର୍ଷା ଅଭାବରେ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ୍‌ର ଚାଷ ଜମି ଫାଟି ଅଁା କଲାଣି। ଫଳରେ ଚାଷ କାର୍ଯ୍ୟ ପଛୁଆ ହୋଇଯାଇଛି।
ବ୍ଲକ୍‌ରେ ୨୦୨୨ ରେ ୧୦ ହଜାର ୧୨୭ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିବା ବେଳେ ଏ ବର୍ଷ କୃଷି ବିଭାଗ ଆଜି ପର୍ଯ୍ୟନ୍ତ ଆକଳନ କରିପାରିନାହିଁ କେତେ ଜମି ଚାଷ ହେବ। ପ୍ରତି ବର୍ଷ ମେ’ ରେ ଚାଷୀ ତଳିଆ ଅଞ୍ଚଳର ଜମିରେ ଧାନ ବୁଣା କାର୍ଯ୍ୟ କରି ଆସୁଥିବା ବେଳେ ଏ ବର୍ଷ ପାଣିପାଗ ଅନୁକୂଳ ନ ଥିବାରୁ ଧାନବୁଣା ହୋଇପାରିନାହିଁ। ପୂର୍ବ ବର୍ଷ ଅପେକ୍ଷା ଚାଷୀ ଏବେ ରୁଆ ପୋତା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଜଳସେଚିତ ଅଞ୍ଚଳରେ ମାତ୍ର ୫ ପ୍ରତିଶତ ଜମିରେ ସପ୍ତାହ ହେବ ତଳି ପକାଯାଇଥିବାର ଦେଖିବାକୁ ମିଳିଛି। ଚଳିତ ବର୍ଷ ୪ ଶହ କୁଇଣ୍ଟାଲ ଉନ୍ନତ କିସମର ଧାନ ବିହନ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ଥିବା ବେଳେ ଜୁନ୍‌ ଶେଷ ସୁଦ୍ଧା ୩୦୪ କୁଇଣ୍ଟାଲ ଧାନ ଆସି ସାରିଛି। ମାତ୍ର ଆଜି ସୁଦ୍ଧା ୧୩୭ କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଥିବା ବ୍ଲକ୍‌ କୃଷି ଅଧିକାରୀ ହାଡ଼ିବନ୍ଧୁ ପଣ୍ଡା କହିଛନ୍ତି। ନିୟମିତ ବର୍ଷା ଅଭାବରୁ ଗଡ଼ିଆ ପୋଖରୀ ମଧ୍ୟ ଶୁଖିଲା ପଡ଼ିଛି। ଅନ୍ୟପଟେ ବ୍ଲକ୍‌ର ମାତ୍ର ୧୦ ପ୍ରତିଶତ ଜମି ଜଳସେଚିତ ହୋଇଥିବା ବେଳେ ସେଥିରୁ ୫ ପ୍ରତିଶତ ଜମିରେ ବି ପାଣି ମାଡୁନାହିଁ। ଫଳରେ ଅନେକ ଜମି ଫାଟିଗଲାଣି। ଉକ୍ତ ବ୍ଲକ୍‌ରେ ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି କହିଲେ କେବଳ ମାତ୍ର ଧାନ ଚାଷ। ଏଥିରେ ହିଁ ଲୋକେ ଗୁଜୁରାଣ ମେଣ୍ଟାଇଥାଆନ୍ତି। ଆଗାମୀ ଦିନରେ ସ୍ବାଭାବିକ ବର୍ଷା ନ ହେଲେ ଚାଷୀ ବର୍ଷର ଆହାର ସଂଗ୍ରହ କରିବାରେ ବି ଆଶଙ୍କା ପ୍ରକାଶ ପାଇଛି।