‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ ମାସିକ ଭତ୍ତା ପ୍ରଦାନ ସହିତ ଜଟଣୀ ଅଞ୍ଚଳରେ ବିଏସ୍‌କଓ୍ବୋଇ ସୁବିଧାରୁ ବଞ୍ଚତ୍ତ ସମସ୍ତ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ବୋଲି ଶୁକ୍ରବାର ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ଖୁଦୁପୁର ଖେଳପଡ଼ିଆରେ ଅନୁଷ୍ଠିତ ସଭାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ଯୋଗଦେଇ ଏହା କହିଛନ୍ତି।
ପାଣ୍ଡିଆନ୍‌ ଆହୁରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କଥା କମ୍‌, କାମ ବେଶି କରନ୍ତି। ସେଥିଲାଗି ପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାବାସୀ ଜିତାଉଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ସବୁବର୍ଗଙ୍କୁ ଖୁସି ଦେବ। ଜନତାଙ୍କ ଆଶୀର୍ବାଦ ରହିଲେ ମୁଖ୍ୟମନ୍ତ୍ରୀ ଆହୁରି ଭଲ କାମ କରିବେ। ଜୁଲାଇ ପହିଲାରୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ୍‌ ବିଲ୍‌ ଦେବାକୁ ପଡ଼ିବ ନାହିଁ। ଏଥିସହ ଜଟଣୀ ବିଧାନସଭାର ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ସେହିପରି ବିଧାୟକ ପ୍ରାର୍ଥୀ ବଳବନ୍ତରାୟ କହିଥିଲେ, ଶ୍ରୀଜଗନ୍ନାଥ ଜମିର ମାଲିକାନା ସ୍ବତ୍ୱ ପରିବର୍ତ୍ତନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ବାଚନ ଆଚରଣବିିଧି ଲାଗୁ ହୋଇଥିବାରୁ କିଛି କରିହେଉନାହିଁ। ନିର୍ବାଚନ ପରେ ସମସ୍ତ ସମସ୍ୟାର ସମାଧାନ ହେବ। ଏହି ଅବସରରେ ପାଣ୍ଡିଆନ୍‌ ସଭାସ୍ଥଳରେ ଉପସ୍ଥିତ ଜନସାଧାରଣ, ଯୁବ ଗୋଷ୍ଠୀ, ମହିଳା ଏବଂ ଛାତ୍ରୀଛାତ୍ରଙ୍କ ସହିତ ସେଲ୍ଫି ଉଠାଇବା ସହ ହାତ ମିଳାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ, ଜଟଣୀ ନଗରପାଳ ଅନନ୍ତ ବେହେରା, ଜିଲା ବିଜେଡି ସମ୍ପାଦକ ମନମୋହନ ରାଉତରାୟ, ଅନନ୍ତ ଶତପଥୀଙ୍କ ସମତ ବହୁ ବେଜେଡି ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ।
Share