ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ରାଜ୍ୟରେ ସିକିମ ଭାବେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ସ୍ବତ୍ୱ/ରୟତି ଅଧିକାର ମିଳିବ। ଓଡ଼ିଶା ଭୂ-ସଂସ୍କାର ଆଇନ-୧୯୬୦ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିବା ପରେ ଏ ସଂକ୍ରାନ୍ତ ଓଡ଼ିଶା ଭୂ-ସଂସ୍କାର (ଦ୍ୱିତୀୟ ସଂଶୋଧନ) ବିଲ୍-୨୦୨୩କୁ ଗୁରୁବାର ବିଧାନସଭାର ଅନୁମୋଦନ ମିଳିଛି।
ଓଡ଼ିଶା ଭୂ-ସଂସ୍କାର ଆଇନ-୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା। ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନ ଥିଲେ। ତେଣୁ ସିକିମ ଭାବେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ସ୍ବତ୍ୱ/ରୟତି ଅଧିକାର ଦେବା ପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନ-୧୯୬୦ର ଧାରା-୪ରେ ଥିବା ଉପଧାରାକୁ ଆବଶ୍ୟକ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିବା ଜମିରେ ରୟତି ଅଧିକାର ପାଇବା ପାଇଁ ଏହି ସଂଶୋଧନ ଆଇନର ବିଜ୍ଞପ୍ତି ପ୍ରକାଶନର ୨ ବର୍ଷ ମଧ୍ୟରେ ରାଜସ୍ବ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ। ଆବଶ୍ୟକ ପଡ଼ିଲେ ସରକାର ଏହି ସମୟସୀମାକୁ ବୃଦ୍ଧି କରିପାରିବେ। ରାଜସ୍ବ ଅଧିକାରୀ ଆଦେଶନାମା ଜାରି କଲାବେଳେ ଷ୍ଟାଣ୍ଡାର୍ଡ ଏକର ପିଛା ୧୪,୨୦୦ ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବେ। କ୍ଷତିପୂରଣ ଟଙ୍କା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କ ଉତ୍ତରାଧିକାରୀମାନେ ଏହି ସିକିମ ଜମିର ମୂଳ ରୟତଙ୍କୁ କିମ୍ବା ଉତ୍ତରାଧିକାରୀମାନଙ୍କୁ ପ୍ରଦାନ କରିବେ। କ୍ଷତିପୂରଣ ରାଶିର ପରିମାଣ ସରକାର ସମୟାନୁକ୍ରମେ ପରିବର୍ତ୍ତନ କରିପାରନ୍ତି। ଏହା ପରେ ଏହି ସିକିମ ଜମି ଉପରେ ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କ ଉତ୍ତରାଧିକାରୀମାନେ ରୟତ ଭାବେ ଘୋଷିତ ହେବେ। ଏହି ଜମି ଉପରେ ସେମାନଙ୍କ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତି ହେବେ।ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଲ୍କୁ ବିଧାନସଭାରେ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟର ୩୦ ଜିଲାରେ ୨ ଲକ୍ଷ ୫୪ ହଜାର ରୟତଙ୍କ ନିକଟରେ ୧ ଲକ୍ଷ ୨୩ ହଜାର ଏକର ଜମି ସିକିମ ଭାବେ ରେକର୍ଡ ହୋଇରହିିଛି। ଗଜପତି ଜିଲାରେ ସର୍ବାଧିକ ୧୧୨୬ ସିକିମ ଖାତାରେ ୯୩ ହଜାର ୨୫୦.୬୯ ଏକର ଜମି ରହିଛି।