ବଦଳିବ ଖୋର୍ଦ୍ଧାଗଡ଼ର ରୂପରେଖ

ଖୋର୍ଦ୍ଧା,୨୭ା୮(ପ୍ରଭାତ ପାଣିଗ୍ରାହୀ)ସ୍ଥାନୀୟ ହାବେଳି ପଡ଼ିଆରେ ଗତ ୨୨ ତାରିଖରେ ଆୟୋଜିତ ଜନଶୁଣାଣି ସମାବେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଯୋଗଦେଇ ପାଇକ ଗବେଷଣା ପ୍ରତିିଷ୍ଠାନ ଏବଂ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଘୋଷଣା କରିଥିଲେ। ମାସକ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ଦାଖଲ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧାଗଡ଼ ପରିଦର୍ଶନ କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଉପସ୍ଥିତ ଥିଲେ। ଜିଲାପାଳ ଗଡ଼ର ବାହାର ପାର୍ଶ୍ୱ ସହିତ ନିକଟରେ ନିର୍ମାଣାଧୀନ ମୁକ୍ତାକାଶ ରଙ୍ଗମଞ୍ଚ ଏବଂ କୁଞ୍ଜବିହାରୀ ମଠ ବୁଲିଥିଲେ। ଖୁବ୍‌ଶୀଘ୍ର ଖୋର୍ଦ୍ଧାଗଡ଼ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଦୀର୍ଘ ବର୍ଷ ପରେ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ସରକାର ଚିନ୍ତନ କରିଥିବାରୁ ବିଭିନ୍ନ ପାଇକ ସଙ୍ଗଠନ, ପାଇକ ପରିବାରଙ୍କ ଦାୟାଦ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ମତରେ, ୧୫୬୮ ମସିହାରେ ଗଜପତି ମୁକୁନ୍ଦଦେବଙ୍କ ନିହତ ପରେ ରାଜ୍ୟରେ ଅରାଜକତା ଦେଖାଯାଇଥିଲା। କଳାପାହାଡ଼ ଉତ୍କଳରେ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲା। ଅନେକ ମଠ, ମନ୍ଦିର ଧ୍ୱଂସ ପାଇଲା। ରମେଇ ରାଉତରାୟ ବରୁଣେଇ ପାଦଦେଶରେ ଜଗନ୍ନାଥପୁର-କଟକ ନାମରେ ୧୫୬୮ରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ। ରମେଇ ରାଉତରାୟ ଗଜପତି ରାମଚନ୍ଦ୍ର ଦେବ ଭାବେ ପରିଚିତ ହେଲେ। ଗଡ଼ର ପୂର୍ବ ଦିଗରେ ଥିବା ବର୍ତ୍ତମାନର ବଡ଼ତୋଟା ହାଇସ୍କୁଲ ରାଜାଙ୍କର ଅସ୍ତ୍ରାଗାର ବୋଲି ଅନୁମାନ କରାଯାଉଥିବା ଐତିହାସିକମାନେ କୁହନ୍ତି। ଗଡ଼ ମଧ୍ୟରେ ୧୫ ଏକର ପରିମିତ ସ୍ଥାନରେ ରାଣୀ ପୋଖରୀ ରହିଛି। ଏଥିସହିତ ଗଡ଼ ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲା, ଯାହା ଏବେ ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି।
ବିଦ୍ରୋହ ଓଡ଼ିଆ ଜାତିର ସ୍ବାଭିମାନ। ଏ ମାଟି ପାଇକଙ୍କ ଅସୀମ ବୀରତ୍ୱ ପାଇଁ ଗର୍ବ କରେ। ତେବେ ଏହି ପାଇକଙ୍କ ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼, ଯାହାକି ଲାଲ୍‌ମାଟିର ଗଡ଼ ବୋଲି କୁହାଯାଏ। ପ୍ରଥମେ ଏହି ମାଟିରୁ ଇଂରେଜ ବିରୋଧରେ ସଶସ୍ତ୍ର ସଂଗ୍ରାମ ଡାକରା ଦିଆଯାଇଥିଲା। ମାଟିର ସୁରକ୍ଷା ପାଇଁ ଅନେକ ପାଇକ ବୀରଙ୍କୁ ଜନ୍ମ ଦେଇଥିବା ଏହି ଗଡ଼ ନଷ୍ଟହେବାକୁ ବସିଛି। ଚାରିଆଡ଼େ ଅନାବନା ଗଛଲତା ମାଡ଼ି ଲୁଚିଗଲାଣି। ସ୍ଥାନୀୟ ଜିଲା ପ୍ରଶାସନର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ଗଡ଼ର ପୁନରୁଦ୍ଧାର ହୋଇପାରୁ ନ ଥିବା ବୁଦ୍ଧିଜୀବୀ, ଗବେଷକମାନେ କହିଛନ୍ତି। ତେବେ ଏହି ଗଡ଼ର ପୁନରୁଦ୍ଧାର ଲାଗି ୫-ଟି ସଚିବଙ୍କ ଘୋଷଣା ପରେ ଲୋକଙ୍କ ମନରେ ଆଶା ସଞ୍ଚରିଛି।