ଆଣ୍ଟାର୍କଟିକାରେ ସର୍ବବୃହତ୍‌ ହିମଶୈଳ

ଲଣ୍ଡନ,୨୧ା୫: ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବରଫ ତରଳିବାରେ ଲାଗିଥିବାବେଳେ ଆଣ୍ଟାର୍କଟିକା ମହାଦେଶ ପୃଥିବୀର ସର୍ବବୃହତ୍‌ ବରଫଖଣ୍ଡକୁ ଜନ୍ମ ଦେଇଛି। ଭୂମଧ୍ୟସାଗରରେ ଥିବା ସ୍ପେନ୍‌ର ଲୋକପ୍ରିୟ ପର୍ଯ୍ୟଟନ କେନ୍ଦ୍ର ମାଜୋରିକା(୩୬୪୦ ବର୍ଗ କି.ମି. ବା ୧,୪୦୫ ବର୍ଗ ମାଇଲ୍‌) ଆଇଲାଣ୍ଡଠାରୁ ମଧ୍ୟ ଏହି ହିମଶୈଳର ଅୟତନ ବଡ଼ ବୋଲି ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛି।
ଆଣ୍ଟାର୍କଟିକାରେ ସଦ୍ୟ ସୃଷ୍ଟି ହୋଇଥିବା ବରଫଖଣ୍ଡକୁ ବୈଜ୍ଞାନିକମାନେ ‘ଏ-୭୬’ ନାଁ ଦେଇଛନ୍ତି। ଉକ୍ତ ହିମଶୈଳର ଲମ୍ବ ୧୦୯ ମାଇଲ (୧୭୫ କି.ମି.) ଓ ଚଉଡ଼ା ୧୬ ମାଇଲ (୨୫ କି.ମି.)। ଏହାର ମୋଟ ଆୟତନ ୪୩୨୦ ବର୍ଗ କି.ମି.(୧,୬୬୮ ବର୍ଗ ମାଇଲ)। ପୂର୍ବରୁ ୩,୩୮୦ ବର୍ଗ କି.ମି. ଆୟତନର ‘ଏ-୨୩ଏ’ ଆଇସ୍‌ବର୍ଗକୁ ସବୁଠୁ ବଡ଼ ହିମଶୈଳ ବୋଲି କୁହାଯାଉଥିଲା। ଓ୍ବେଡେଲ୍‌ ସାଗରରେ ‘ଏ-୭୬’କୁ ପ୍ରଥମେ ବ୍ରିଟିଶ୍‌ ଆଣ୍ଟାର୍କଟିକ୍‌ ସର୍ଭେ ପକ୍ଷରୁ ଠାବ କରାଯାଇଥିଲା, ଯେତେବେଳେ ଏହା ରୋନେ ଆଇସ୍‌ ସେଲଫଠାରୁ ବିଚ୍ଛିନ୍ନ ହୋଇଥିଲା। ଆମେରିକାର ନ୍ୟାଶନାଲ ଆଇସ୍‌ ସେଣ୍ଟର କୋପରନିକସ୍‌ ସେଣ୍ଟିନେଲ୍‌-୧ ମିଶନକୁ ବ୍ୟବହାର କରି ଉପଗ୍ରହ ଚିତ୍ର ଜରିଆରେ ଏ ସମ୍ପର୍କିତ ବିବରଣୀକୁ ସୁନିଶ୍ଚିତ କରିଛି। ଆଇସ୍‌ ସେଲଭ୍‌ସଠାରୁ ଆଇସ୍‌ବର୍ଗଗୁଡ଼ିକୁ ବିଚ୍ଛିନ୍ନ କରୁଥିବା ପ୍ରାକୃତିକ ପ୍ରକ୍ରିୟାକୁ ‘କାଲ୍‌ଭିଙ୍ଗ୍‌’ କୁହାଯାଏ। ବ୍ରିଟିଶ୍‌ ଆଣ୍ଟାର୍କଟିକ୍‌ ସର୍ଭେର ଗ୍ଲାସିୟର ଜିଓଫିଜିସିଷ୍ଟ ଆଲେକ୍ସ ବ୍ରିସ୍‌ବର୍ନ କହିଛନ୍ତି, ଓ୍ବେଡେଲ୍‌ ସି’ ରେ ବର୍ତ୍ତମାନ ଉତ୍ତାପ ନାହିଁ। କିନ୍ତୁ ଆଣ୍ଟାର୍କଟିକା ମହାଦେଶର ଅନ୍ୟଭାଗରେ ଜଳବାୟୁ ପରିବର୍ତ୍ତନ ରହିଥିବାରୁ ଏହାର ପ୍ରଭାବରେ ବିଶ୍ୱର ସର୍ବବୃହତ୍‌ ହିମଶୈଳ ଜନ୍ମ ନେଇଛି। ଏଥିଯୋଗ ସମୁଦ୍ରପତ୍ତନ ବୃଦ୍ଧିପାଇପାରେ।

Share